ଭୁବନେଶ୍ଵର: ବିଶୃଙ୍ଖଳା ଆଚରଣ ପାଇଁ ଗୃହରୁ ସପ୍ତାହେ ଯାଏ ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବିରୋଧୀ ଦଳ ମାନଙ୍କର ସବୁ ପ୍ରକାର ଆନ୍ଦୋଳନ କରିବା, ମତ ରଖିବାର ଅଧିକାର ଅଛି । ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିପାରିବେ । ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାର ଅଭ୍ୟାସ ଛାଡ଼ି ହିଂସାତ୍ମକ ଉପାୟ ଅବଲମ୍ବନ କଲେ ତାହା କେବେ ବି ଗ୍ରହଣୀୟ ନୁହେଁ ।
ସେ କହିଛନ୍ତି, ଗୃହକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା ନିମନ୍ତେ ବାରମ୍ବାର ବିରୋଧୀ ଦଳମାନଙ୍କୁ ଅନୁରୋଧ କରାଯାଉଛି । ଆଜିର ହିଂସାତ୍ମକ ଘଟଣା ସଂପୂର୍ଣ୍ଣ ଭାବେ ଅସ୍ପୃହଣୀୟ ଓ ଅଗଣତାନ୍ତ୍ରିକ। ତେଣୁ ସେ ବାବଦରେ ବାଚସ୍ପତି ଯଥାର୍ଥ ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ।
ସୂଚନାଯୋଗ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସପ୍ତାହେ ପର୍ଯ୍ୟନ୍ତ ନିଲମ୍ବନ ହୋଇଛନ୍ତି । ମଙ୍ଗଳବାର ଗୃହରେ ହାତାହାତି ଘଟିଥିବା ଘଟଣାକୁ ନେଇ ନିଲମ୍ବନ କରାଯାଇଛି । ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଥିଲେ ।
ଏପରିକି ତାରାଙ୍କୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିଥିବା ଦେଖିବାକୁ ମିଳିଥିଲା । ଆଜି ଗୃହରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ହାତାହାତି ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ଏହି ଘଟଣାରେ ବାଚସ୍ପତି ୧୭ ଶାସକ ଦଳର ବିଧାୟକଙ୍କ ମତାମତ ଗ୍ରହଣ କରିଥିଲେ । ସବୁ ତର୍ଜମା ପରେ ବାଚସ୍ପତି ସୁରମା ପାଢୀ ତାରାଙ୍କ ବିରୋଧରେ ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।