ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନରେ ଜଫର ଏକ୍ସପ୍ରେସକୁ ହାଇଜ୍ୟାକ୍ କରିବାର ୮ ଘଣ୍ଟା ପରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ବଲୋଚ ଲିବେରେସନ ଆର୍ମି ନିଜର ବୟାନ ଜାରି କରିଛି । ଭାରତୀୟ ସମୟ ରାତି ୧୦ଟାରେ ଦେଇଥିବା ନିଜର ଟିପ୍ପଣୀରେ ଆତଙ୍କବାଦୀ ଦାବି କରିଛନ୍ତି ଯେ, ପାକିସ୍ତାନୀ ସେନା ସହ ଲଢେଇରେ ୩୦ରୁ ଅଧିକ ପାକିସ୍ତାନୀ ସୈନିକ ନିହତ ହୋଇ ସାରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହା ସହିତ ବଲୁଚ ଲିବେରେସନ ଆର୍ମି(ବିଏଲଏ)ର ସଦସ୍ୟ ପାକିସ୍ତାନୀ ସେନାକୁ କଡା ଟକ୍କର ଦେଇ ଏବଂ ସେମାନଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଛନ୍ତି ।
ବିଏଲଏ ଦାବି କରିଛି ଯେ, ସେମାନଙ୍କ କବଜାରେ ୨୧୪ ଟ୍ରେନ ଯାତ୍ରୀ ବନ୍ଧକ ଅଛନ୍ତି । ଏଥିରେ ପାକିସ୍ତାନୀ ସେନା, ପୋଲିସ ଓ ଗୁଇନ୍ଦା ଏଜେନ୍ସିର ଲୋକ ମଧ୍ୟ ସାମିଲ । ବିଏଲଏ ପାକିସ୍ତାନ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଇ ଧମକ ଦେଇଛି ଯେ, ଯଦି ପାକିସ୍ତାନ ସମସ୍ତ ବଲୁଚ ରାଜନୈତିକ କଏଦୀ ଓ ବଳପୂର୍ବକ ଗାଏବ ଲୋକଙ୍କୁ ମୁକ୍ତ ନ କରେ ତେବେ ସମସ୍ତ ବନ୍ଧକଙ୍କ ହତ୍ୟା କରିବୁ ଏବଂ ଟ୍ରେନକୁ ଉଡାଇ ଦେବୁ । ଆମେ ଯାହା କରୁଛୁ ତାହା ଶେଷ ନିଷ୍ପତ୍ତି ବୋଲି ବିଏଲଏ ପକ୍ଷରୁ କୁହାଯାଇଛି ।
ରେଳବାଇ ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ ଜାଫର ଏକ୍ସପ୍ରେସ, ନଅଟି କୋଚରେ ପ୍ରାୟ ୪୦୦ ଯାତ୍ରୀଙ୍କୁ ନେଇ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟାରୁ ଖାଇବର ପଖତୁନଖୱାର ପେଶାୱାରକୁ ଯାତ୍ରା କରୁଥିବା ବେଳେ ଏହା ଉପରେ ଗୁଳିଚାଳନା କରାଯାଇଥିଲା। ସେମାନେ ଦାବି କରିଛନ୍ତି ଯେ, ସେମାନେ ମହିଳା, ପିଲା ଏବଂ ବାଲୁଚ୍ ଯାତ୍ରୀମାନଙ୍କୁ ମୁକ୍ତ କରିଛନ୍ତି, ବାକି ସମସ୍ତ ବନ୍ଧକ ପାକିସ୍ତାନୀ ସେନାର କର୍ମଚାରୀ ।
ବନ୍ଧକମାନଙ୍କ ମଧ୍ୟରେ ପାକିସ୍ତାନୀ ସେନା, ପୋଲିସ, ଆତଙ୍କବାଦ ବିରୋଧୀ ବଳ, ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସର ସକ୍ରିୟ କର୍ତ୍ତବ୍ୟରତ କର୍ମଚାରୀ ଅଛନ୍ତି, ଯେଉଁମାନେ ସମସ୍ତେ ଛୁଟିରେ ପଞ୍ଜାବ ଯାତ୍ରା କରୁଥିଲେ ବୋଲି ବିବୃତ୍ତିରେ କୁହାଯାଇଛି। ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଯାଇଛି । ତେବେ ଟ୍ରେନ ଉପରେ ଯଦି ପାକ୍ ସେନା ସାମରିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମଗ୍ର ଯାତ୍ରୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି । ଏହି ରକ୍ତପାତ ପାଇଁ ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି ।