ବ୍ରିସବେନ: ଉପର ଅର୍ଡର ବ୍ୟାଟର ଯାହା କରି ପାରିଲେ ନାହିଁ ତାହା କରି ଦେଖାଇଛନ୍ତି ୧୦ ନମ୍ବର ଓ ୧୧ ନମ୍ବର ବ୍ୟାଟର ଯଶପ୍ରୀତ ବୁମରା ଓ ଆକାଶ ଦୀପ । ଏହି ଦୁଇ ବ୍ୟାଟର ସାହସିକ ବ୍ୟାଟିଂ କରି ଭାରତକୁ ଫଲୋଅନ ହେବାରୁ ବଞ୍ଚାଇ ଦେଇଛନ୍ତି । କେବଳ ସେତିକି ନୁହେଁ ଏବେ ଅଷ୍ଟ୍ରେଲିଆକୁ ପୁଣି ଥରେ ବ୍ୟାଟିଂ କରିବାକୁ ପଡିବ । ଫଳରେ ପଞ୍ଚମ ଦିନରେ ଭାରତ ପାଇଁ ଏହି ଟେଷ୍ଟ ଡ୍ର କରାଇବାର ଆଶା ଉଜ୍ଜିବୀତ ହୋଇଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୨୫୨ ରନ କରିଛି । କ୍ରିଜରେ ଯଶପ୍ରୀତ ବୁମରା ୧୦ ରନ ଓ ଆକାଶ ଦୀପ ୨୭ ରନ କରି ଅପରାଜିତ ଅଛନ୍ତି । ଏବେ ବି ଭାରତ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆଠୁ ୧୯୩ ରନ ପଛରେ ରହିଛି । ଆସନ୍ତାକାଲି ମ୍ୟାଚର ହେଉଛି ଅନ୍ତିମ ଦିନ । ଏବେ ଡ୍ର ଅଭିମୁଖେ ଗାବା ଟେଷ୍ଟ ।
ଏକଦା ୨୧୩ ରନରେ ୯ ୱିକେଟ୍ ହରାଇ ଭାରତ ଫଲୋଅନ ଆଶଙ୍କାରେ ପଡିଥିଲା । ଭାରକୁ ଫଲୋଅନ ଏଡାଇବା ପାଇଁ ଦରକାର ଥିଲା ୩୩ ରନ । ଏହି ସମୟରେ କ୍ରିଜରେ ବ୍ୟାଟିଂ କରୁଥିଲେ ବୁମରା ଓ ଆକାଶ । ଉଭୟ ଚତୁର୍ଥ ଦିନର ଶେଷ ଏକ ଘଣ୍ଟା ଏମିତି ବ୍ୟାଟିଂ କରି ସଭିଙ୍କୁ ଆଚମ୍ବିତ କରିଛନ୍ତି । ପ୍ରତି ବଲରୁ ଧେର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ଆଉ ସୁଯୋଗ ମିଳିଲେ ରନ କରିବାକୁ ପଛାଉ ନ ଥିଲେ । ଫଳସ୍ୱରୂପ ଅବିଭାଜିତ ଦଶମ ୱିକେଟ୍ରେ ଏହି ଦୁଇ ବ୍ୟାଟର ୩୯ ରନ ଯୋଡି କେବଳ ଭାରତକୁ ଫଲୋଅନ ହେବାରୁ ବଞ୍ଚାଇ ନାହାନ୍ତି ବରଂ ଭାରତକୁ ଏହି ଟେଷ୍ଟ ଡ୍ର ରଖିବାର ଆଶା ମଧ୍ୟ ଦେଇଛନ୍ତି । ପ୍ରଥମ ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ୮୪ ରନ ଓ ରବୀନ୍ଦ୍ର ଜାଡେଜା ୭୭ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି । ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ବହୁତ ମହଙ୍ଗା ପଡୁଛି ।
ଏହା ପୂର୍ବରୁ ତୃତୀୟ ଦିନର ଅସମାପ୍ତ ଖେଳ ୫୧/୪ରୁ ଭାରତ ନିଜର ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ଥିଲେ କେଏଲ ରାହୁଲ ଓ ଅଧିନାୟକ ରୋହିତ ଶର୍ମା । ତେବେ ଚତୁର୍ଥ ଦିନର ପ୍ରଥମ ବ୍ୟାଟର ଭାବେ ରୋହିତ ଶର୍ମା(୧୦ ରନ) ଆଉଟ୍ ହୋଇଥିଲେ । ୭୪ ରନରେ ଅଧା ୱିକେଟ୍ ହରାଇଥିବା ଭାରତର ଇନିଂସକୁ ସମ୍ଭାଳିଥିଲେ କେଏଲ ରାହୁଲ ଓ ଜାଡେଜା । ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଷଷ୍ଠ ୱିକେଟ୍ରେ ୬୭ ରନ ଯୋଡି ଦଳର ସ୍କୋରକୁ ୧୪୧ରେ ପହଞ୍ଚାଇଥିଲେ । କ୍ରିଜରେ ଜମି ଥିବା କେଏଲ ରାହୁଲଙ୍କୁ ନାଥନ ଲିୟନ ଆଉଟ୍ କରି ଭାରତକୁ ବଡ ଝଟକା ଦେଇଥିଲେ । ରାହୁଲ ୮ ଚୌକା ସହ ୮୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିଲେ ।
ଏହା ପରେ ଜାଡେଜା ଓ ନୀତିଶ କୁମାର ରେଡ୍ଡୀ ସପ୍ତମ ୱିକେଟ୍ ପାଇଁ ୫୩ ରନ ଯୋଡି ଦଳର ସ୍ଥିତିରେ ସୁଧାର ଆଣିଥିଲେ । ନୀତିଶ ୧୬ ରନ କରି ଆଉଟ୍ ହୋଇଥିଲେ । ମହମ୍ମଦ ସିରାଜ ୧ ରନ କରିଥିଲେ । ଶେଷ ଆଡକୁ ଜାଡେଜା ଅର୍ଦ୍ଧଶତକ ହାସଲ କରି ଗୋଟିଏ ପଟୁ ମୋର୍ଚ୍ଚା ସମ୍ଭାଳିଥିଲେ । ସେ ୭୭ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ । ଏହା ପରେ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଛନ୍ତି ବୁମରା ଓ ଆକାଶ ଦୀପ । ଉଭୟ ଅବିଶ୍ୱସନୀୟ ବ୍ୟାଟିଂ କରି ଦଶମ ୱିକେଟ୍ ପାଇଁ ୩୯ ରନ ଯୋଡି ଭାରତର ଫଲୋଅନ ଏଡାଇ ଦେଇଛନ୍ତି ।
ବୋଲିଂରେ ପାଟ୍ କମିନ୍ସ ୪ ସଫଳତା ପାଇଥିବା ବେଳେ ମିଚେଲ୍ ଷ୍ଟାର୍କ ୩ଟି ୱିକେଟ୍ ନେଇଛନ୍ତି । ଜୋଶ ହେଜେଲଉଡ ଓ ନାଥନ ଲାୟନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।