ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ୱିନଙ୍କ ସନ୍ନ୍ୟାସ ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି । ସେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ମଝିରେ ଅବସର ଘୋଷଣା କରିବା ସଭିଙ୍କୁ ଆଚମ୍ବିତ କରିଛି । ଅଶ୍ୱିନଙ୍କ ଅବସରର ସୂଚନା ଅଧିନାୟକ ରୋହିତ ଶର୍ମା ଓ କିଛି ସାଥୀ ଖେଳାଳି ଆଗରୁ ଜାଣିଥିଲେ । ଏବେ ଏହାକୁ ନେଇ ଆଶ୍ଚର୍ଯ୍ୟ କଲା ପରି ଖବର ଆସିଛି । ଏକ ରିପୋର୍ଟ ମୁତାବକ ଅଶ୍ୱିନ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଚାହୁଁ ନ ଥିଲେ । ତଥାପି ସେ ଗଲେ । ଅଶ୍ୱିନଙ୍କ ସନ୍ନ୍ୟାସ ପଛରେ କିଛି ମହତ୍ୱପୂର୍ଣ୍ଣ କାରଣ ରହିଛି ।
ଅଶ୍ୱିନ ଗୋଟିଏ ସର୍ତ୍ତରେ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ରାଜି ହୋଇଥିଲେ ତାହା ହେଉଛି ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ । କିନ୍ତୁ ତାଙ୍କୁ ତୃତୀୟ ଟେଷ୍ଟରେ ବେଞ୍ଚରେ ବସିବାକୁ ପଡିଲା । ତେବେ ଅଶ୍ୱିନଙ୍କ ସନ୍ନ୍ୟାସ ନିଷ୍ପତ୍ତିର ପ୍ରକୃତ କାରଣ ଆନୁଷ୍ଠାନିକ ଭାବେ ଜଣା ପଡିନି । କିନ୍ତୁ ଏହି ଭେଟେରାନ ସ୍ପିନରଙ୍କ ନିଷ୍ପତ୍ତିକୁ ନେଇ କ୍ରିକେଟ୍ ଜଗତରେ ଚହଳ ପଡିଛି । ସାମାଜିକ ଗଣମାଧ୍ୟମରେ ଏହା ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି । ଅଶ୍ୱିନଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ କରି ପାରୁ ନାହାନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଅଶ୍ୱିନଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । ସୁନ୍ଦର ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ନେଇଥିଲେ । ଏହା ପରେ ଅଶ୍ୱିନଙ୍କୁ ଦ୍ୱିତୀୟ ଟେଷ୍ଟର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଲା । ପୁଣି ତୃତୀୟ ଟେଷ୍ଟରେ ବାଦ୍ ଦିଆଗଲା । ରିପୋର୍ଟ ଅନୁଯାୟୀ, ସେ ସନ୍ନ୍ୟାସ ବିଷୟରେ ରୋହିତ ଶର୍ମାଙ୍କ ସହ ଆଲୋଚନା କରି ସାରିଥିଲେ । ଅଶ୍ୱିନଙ୍କ କହିବା କଥା ଯଦି ଦଳରେ ତାଙ୍କର ଆବଶ୍ୟକତା ନାହିଁ ତେବେ ତାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେବା ଉଚିତ୍ । ଅଶ୍ୱିନ ବାଧ୍ୟ ବାଧ୍ୟକତାରେ ଅବସର ନେଇଛନ୍ତି ନା ନିଜ ହିସାବରେ ତାହା ଜଣା ପଡିନି ।
ଅଶ୍ଵିନ ୧୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ରେ ସକ୍ରିୟ ରହିଥିଲେ। ସେ ମୋଟ୍ ୭୬୫ ଅନ୍ତର୍ଜାତୀୟ ଓ୍ଵିକେଟ ଦଖଲ କରିଛନ୍ତି। ଟେଷ୍ଟରେ ୫୩୭ ଓ୍ଵିକେଟ୍ ନେଇଛନ୍ତି, ଯେଉଁଥିରେ ୩୭ ଥର ସେ ୫ କିମ୍ବା ତଦୁର୍ଦ୍ଧ୍ଵ ଓ୍ଵିକେଟ୍ ନେଇଛନ୍ତି। ସେ ଭାରତ ପକ୍ଷରୁ ଦ୍ଵିତୀୟ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍କାରୀ ବୋଲର। ଭାରତୀୟ ବୋଲର ଭାବେ ଟେଷ୍ଟରେ ତାଙ୍କଠୁ ଅଧିକ ଓ୍ଵିକେଟ୍ ନେଇଛନ୍ତି ଅନିଲ କୁମ୍ବଲେ । ଏହି ମହାନ ଲେଗ ସ୍ପିନର ୬୧୯ ସଫଳତା ହାସଲ କରିଛନ୍ତି ।