ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ ଟେଷ୍ଟ ସିରିଜ୍ ହୋଇପାରେ । ଅଧିନାୟକ ରୋହିତ ଶର୍ମା ଗତ କିଛି ସମୟ ହେବ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ସହ ଗତି କରୁଛନ୍ତି । ଏହି ଫର୍ମାଟରେ ତାଙ୍କର ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ତେଣୁ କୁହାଯାଉଛି ଏହି ସିରିଜ୍ ମଝିରେ କିମ୍ବା ସିରିଜ୍ ଶେଷ ପରେ ସେ ଟେଷ୍ଟ କ୍ରିକେଟରୁ ଅନ୍ନ୍ୟାସ ଘୋଷଣା କରିଦେବେ । ଟେଷ୍ଟ ସନ୍ନ୍ୟାସ ଖବର ଏଥିପାଇଁ ଚର୍ଚ୍ଚାକୁ ଆସିଛି କାରଣ ବ୍ରିସବେନ ଟେଷ୍ଟରେ ଯେବେ ପାଟ୍ କମିନ୍ସଙ୍କ ବଲରେ ଆଉଟ୍ ହେବା ପରେ ରୋହିତ ଶର୍ମା ପାଭିଲିୟନ ଫେରୁଥିଲେ, ସେ ନିଜର ଗ୍ଲୋଭ୍ସ ଖୋଲି ଡଗଆଉଟ୍ ପଛରେ ଛାଡି ଦେଇଛନ୍ତି । ଏହା ପରେ ସାମାଜିକ ଗଣମାଧ୍ୟମରେ ରୋହିତଙ୍କ ସନ୍ନ୍ୟାସକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି ।
ଯଦି ରୋହିତ ଶର୍ମାଙ୍କ ବର୍ତ୍ତମାନର ଟେଷ୍ଟ ଫର୍ମ ଉପରେ ନଜର ପକାଇବା ତେବେ ସେ ଗତ ୧୩ଟି ଇନିଂସରେ ୧୧.୬୯ ହାରରେ ମାତ୍ର ୧୫୨ ରନ କରିଛନ୍ତି । ଏଥିରେ କେବଳ ଗୋଟିଏ ଅର୍ଦ୍ଧଶତକ ସାମିଲ । ଏହି ସମୟରେ ରୋହିତ ୮ ଥର ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ ଖେଳି ପାରି ନ ଥିବା ରୋହିତ ଏହା ପରେ ଆଡିଲେଡ ଓ ବ୍ରିସବେନରେ ଦଳର ନେତୃତ୍ୱ ନେଉଛନ୍ତି । ତେବେ ବ୍ୟାଟିଂରେ ସେ ବହୁତ ନିରାଶ କରିଛନ୍ତି । ଆଉ ଏହାର ପ୍ରଭାବ ତାଙ୍କର ଅଧିନାୟକତ୍ୱ ଉପରେ ମଧ୍ୟ ପଡିଛି ।
ରୋହିତ ଯେବେ ଚତୁର୍ଥ ଦିନ ପାଟ୍ କମିନ୍ସଙ୍କ ବଲରେ ଆଉଟ୍ ହେଲେ, ସେ ବହୁତ ନିରାଶ ଜଣା ପଡୁଥିଲେ । ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ସାରିଥିଲେ । ଏବେ ଯଦି ସେ ଟେଷ୍ଟରୁ ଅବସର ଗ୍ରହଣ କରନ୍ତି ତେବେ କେବଳ ଦିନିକିଆ ଫର୍ମାଟରେ ତାଙ୍କୁ ଦେଖିବାକୁ ମିଳିବ । ରୋହିତଙ୍କ ବ୍ୟତୀତ ବିରାଟ କୋହଲି ମଧ୍ୟ ବହୁତ ଚାପରେ ରହିଛନ୍ତି । ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ ପରେ ବିରାଟ ମଧ୍ୟ ଏହି ସିରିଜରେ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି ।