ବ୍ରିସବେନ: ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ବର୍ଷାର ପ୍ରାଦୁର୍ଭାବ ଅଧିକ ରହିଛି। ପ୍ରଥମ ଦିନ ମାତ୍ର ୧୩.୨ ଓଭର ଖେଳ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପୂରା ଖେଳ ହୋଇଥିଲା। ଆଶା କରାଯାଉଥିଲା ଅବଶିଷ୍ଟ ଦିନରେ ଖେଳ ହେବ । କିନ୍ତୁ ତୃତୀୟ ଓ ଚତୁର୍ଥ ଦିନରେ ମଧ୍ୟ ବର୍ଷା ପୁଣି ବାଧକ ସାଜିଥିଲା। ଏବେ ସଭିଙ୍କ ନଜର ପଞ୍ଚମ ଦିନର ପାଣିପାଗ ଉପରେ । ଯଦି ପୂରା ଦିନର ଖେଳ ହୁଏ ତେବେ ଦର୍ଶକଙ୍କୁ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ ।
ଆକ୍ୟୁଓ୍ଵେଦର ମୁତାବକ, ଗାବା ଟେଷ୍ଟର ପଞ୍ଚମ ଦିନରେ ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଛି। ପୂରା ଦିନ ବ୍ରିସବେନ ଆକାଶରେ ବାଦଲ ଛାଇ ରହିବ। ଦିନର ସର୍ବନିମ୍ନ ତାପମାତ୍ରା ୧୮ ଓ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ରହିପାରେ। ଘଣ୍ଟା ପ୍ରତି ୧୩ କିମି ବେଗରେ ପବନ ବହିପାରେ। ତେବେ ବର୍ଷା ହେବାର ଅଧିକ ସମ୍ଭାବନା ଥିବାରୁ ମ୍ୟାଚ୍ ଡ୍ର ହେବାର ଅଧିକ ।ଶା ରହିଛି ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ କରିଥିଲା। ଜବାବରେ ଭାରତ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୯ ଓ୍ଵିକେଟ୍ ହରାଇ ୨୫୨ ରନ କରିଛି। ଏବେ ମଧ୍ୟ ଭାରତ ୧୯୩ ରନ ପଛରେ ରହିଛି। ଏକଦା ୯ ଓ୍ଵିକେଟ୍ ହରାଇ ୨୧୩ ରନ କରିଥିବା ଭାରତକୁ ଫଲୋଅନ ଏଡ଼ାଇବା ପାଇଁ ୩୩ ରନ ଦରକାର ଥିଲା ଏବଂ ହାତରେ ଥିଲା ମାତ୍ର ଗୋଟିଏ ଓ୍ଵିକେଟ୍।
କିନ୍ତୁ ଯଶପ୍ରୀତ ବୁମରା ଓ ଆକାଶ ଦୀପ ଯେଉଁଭଳି ବ୍ୟାଟିଂ କଲେ ଅନେକ ବର୍ଷ ଧରି ଏହାକୁ ମନେ ରଖିବ ଅଷ୍ଟ୍ରେଲିଆ । ଦୁଇ ବ୍ୟାଟର ଅବିଭାଜିତ ଦଶମ ୱିକେଟ୍ ଯୋଡିରେ ୩୯ ରନ ଯୋଡି ଭାରତକୁ ଫଲୋଅନ ହେବାରୁ ବଞ୍ଚାଇଛନ୍ତି । ବୁମରା ୧୦ ଓ ଆକାଶ ୨୭ ରନ କରି ଅପରାଜିତ ଅଛନ୍ତି ।