ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ସରିବା ମାତ୍ରେ ଟିମ ଇଣ୍ଡିଆର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କର ଭାରତୀୟ ଦଳ ସହ ଯାତ୍ରା ସଂପନ୍ନ ହୋଇଛି । ସିରିଜ ଅଧାରୁ ଭାରତୀୟ ଟିମରୁ ଅଲଗା ହୋଇଛନ୍ତି ଅଶ୍ୱିନ। ସେ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ । ସେ ଦଳ ସହ ଆଉ କୌଣସି ପ୍ରକାରର ଯାତ୍ରା କରିପାରିବେ ନାହିଁ। ତେଣୁ ସେ ଆସନ୍ତାକାଲି ସ୍ୱଦେଶ ଫେରିବେ ।
ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଅଶ୍ୱିନ ପରବର୍ତ୍ତୀ ଟେଷ୍ଟ ପାଇଁ ଦଳ ସହ ମେଲବର୍ଣ୍ଣ ଗସ୍ତ କରିବେ ନାହିଁ। ମେଲବର୍ଣ୍ଣ ବଦଳରେ ଗୁରୁବାର ସେ ଭାରତ ଅଭିମୁଖେ ଉଡ଼ାଣ ଭରିବେ।
ଆଜି ବ୍ରିସବେନର ଗାବାରେ ତୃତୀୟ ଟେଷ୍ଟ ଡ୍ର ଭାବେ ସମାପ୍ତ ପରେ ରୋହିତଙ୍କ ପାଖରେ ବସି ସାମ୍ବାଦିକ ସମ୍ମିଳନୀ ଅଶ୍ୱିନ ନିଜର ଅବସର ସମ୍ପର୍କରେ ଘୋଷଣା କରିଥିଲେ। କିନ୍ତୁ ସେ ସାମ୍ବାଦିକମାନଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଚାଲି ଯାଇଥିଲେ। ଏହାପରେ ରୋହିତ ମେଲବର୍ଣ୍ଣ କିମ୍ବା ସିଡନୀ ଟେଷ୍ଟରେ ଅଶ୍ୱିନ ଟିମ ସହ ରହିବେ ନାହିଁ ବୋଲି କହିଥିଲେ।
ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ କ୍ରିକେଟ ଖେଳିବା ଜାରି ରଖିବେ। ତାଙ୍କୁ ରଣଜୀ ଟ୍ରଫି ସହ ବିଭିନ୍ନ କ୍ଲବ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ। ସେହିପରି ୨୦୨୫ ଆଇପିଏଲରେ ସେ ଚେନ୍ନାଇ ପକ୍ଷରୁ ଖେଳିବେ।
ଅଶ୍ଵିନ ୧୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ରେ ସକ୍ରିୟ ରହିଥିଲେ। ସେ ମୋଟ୍ ୭୬୫ ଅନ୍ତର୍ଜାତୀୟ ଓ୍ଵିକେଟ ଦଖଲ କରିଛନ୍ତି। ଟେଷ୍ଟରେ ୫୩୭ ଓ୍ଵିକେଟ୍ ନେଇଛନ୍ତି, ଯେଉଁଥିରେ ୩୭ ଥର ସେ ୫ କିମ୍ବା ତଦୁର୍ଦ୍ଧ୍ଵ ଓ୍ଵିକେଟ୍ ନେଇଛନ୍ତି। ସେ ଭାରତ ପକ୍ଷରୁ ଦ୍ଵିତୀୟ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍କାରୀ ବୋଲର। ଭାରତୀୟ ବୋଲର ଭାବେ ଟେଷ୍ଟରେ ତାଙ୍କଠୁ ଅଧିକ ଓ୍ଵିକେଟ୍ ନେଇଛନ୍ତି ଅନିଲ କୁମ୍ବଲେ । ଏହି ମହାନ ଲେଗ ସ୍ପିନର ୬୧୯ ସଫଳତା ହାସଲ କରିଛନ୍ତି ।