ବ୍ରିସବେନ: ଗାବାରେ ଭାରତ ବିପକ୍ଷରେ ଜାରି ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆକୁ ବହୁତ ବଡ ଝଟକା ଲାଗିଛି । ଦଳର ପ୍ରମୁଖ ଦ୍ରୁତ ବୋଲର ଜୋସ ହେଜେଲଉଡ ଆହତ ହୋଇ କେବଳ ଏହି ମ୍ୟାଚରୁ ବାଦ୍ ପଡି ନାହାନ୍ତି ବରଂ ପୂରା ସିରିଜରୁ ବାହାରି ଯାଇଛନ୍ତି । ହେଜେଲଉଡଙ୍କୁ ଚତୁର୍ଥ ଦିନର ପ୍ରଥମ ଘଣ୍ଟା ପଡିଆରେ ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ପଡିଆରୁ ବାହାରକୁ ନିଆଯାଇଥିଲା । ପୁଣି ଜୋଶଙ୍କୁ ସ୍କାନ ପାଇଁ ହସ୍ପିଟାଲ ନିଆଗଲା । ଯାଞ୍ଚ ରିପୋର୍ଟରୁ ଜଣା ପଡିଛି ଯେ, ହେଜେଲଉଡଙ୍କୁ ବଡ ଆଘାତ ଲାଗିଛି ।
ଏବେ ଜୋଶ ହେଜେଲଉଡ ବ୍ରିସବେନ ଟେଷ୍ଟରେ ଆଗକୁ ବ୍ୟାଟିଂ କରି ପାରିବେ ନାହିଁ । ଏମିତିରେ ତାଙ୍କ ସ୍ଥାନରେ ସିରିଜର ବାକି ଦୁଇଟି ମ୍ୟାଚରେ ସ୍କଟ ବୋଲାଣ୍ଡ ଖେଳିବେ । ଏହି ତାରକା ବୋଲରଙ୍କୁ ଗୁରୁତର ଆଘାତ ଲାଗିଛି । ଆହତ ଜନିତ ସମସ୍ୟାରୁ ମୁକୁଳିବା ପାଇଁ ତାଙ୍କୁ ସମୟ ଲାଗିବ । ତେଣୁ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରେ ସେ ଦଳରେ ଉପଲବ୍ଧ ରହିବେ ନାହିଁ । କ୍ରିକେଟ୍ ଅଷ୍ଟ୍ରେଲିଆ ଏ ନେଇ ଆନୁଷ୍ଠାନିକ ସୂଚନା ମଧ୍ୟ ଦେଇ ସାରିଛି । ଜୋଶ ହେଜେଲଉଡ ଏହି ମ୍ୟାଚରେ ମାତ୍ର ୬ ଓଭର ବୋଲିଂ କରି ଗୋଟିଏ ସଫଳତା ପାଇଥିଲେ ।
ସୂଚନାଯୋଗ୍ୟ, ଆଘାତ କାରଣରୁ ଜୋଶ ହେଜେଲଉଡ ଆଡିଲେଡରେ ଖେଳା ଯାଇଥିବା ପିଙ୍କ ବଲ ଟେଷ୍ଟ ଖେଳି ନ ଥିଲେ । ତାଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ସୁଯୋଗ ମିଳିଥିଲା ଏବଂ ଭଲ ବୋଲିଂ କରିଥିଲେ । କିନ୍ତୁ ଗାବା ଟେଷ୍ଟ ହେଜେଲଉଡ ଫେରିଥିଲେ ହେଁ ପୁଣି ଆହତ ହୋଇଛନ୍ତି । ଆଉ ତୃତୀୟ ଟେଷ୍ଟରେ ପାଟ୍ କମିନ୍ସ ଓ ମିଚେଲ୍ ଷ୍ଟାର୍କଙ୍କ ଉପରେ ବୋଲିଂର ଅଧିକ ଭାର ପଡିଛି ।