ଝାଡଖଣ୍ଡ: ବିବାହ ତାରିଖ ସ୍ଥିର ସରିଥିଲା, ସମସ୍ତ ପ୍ରସ୍ତୁତି ବି ସରିଥିଲା, ଭୋଜିଭାତର ଆସର ଜମିଥିଲା, ଆଉ ମଣ୍ଡପରେ ଚାଲିଥିଲା ବାହାଘର । ବେଦୀରେ ବର କନ୍ୟାକୁ ନେଇ ପଣ୍ଡିତ ବେଦପାଠ ଉଚ୍ଚାରଣ କରୁଥିଲେ । ଏତିକି ବେଳେ ହାଡ଼ଭଙ୍ଗା ଶୀତ ସହି ନ ପାରି ମଣ୍ଡପରେ ଅଚେତ୍ ହୋଇଯାଇଥିଲା ବର । ସେପଟେ ବରକୁ ଚେତାଶୂନ୍ୟ ହେବାର ଦେଖି ବାହା ହେବା ପାଇଁ ମନା କରିଦେଲା କନ୍ୟା । ଏଭଳି ଘଟଣା ଝାଡଖଣ୍ଡର ଦେବଘର ଅଞ୍ଚଳରୁ ଆସିଛି ।
ଏବେ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହି ହାଡ଼ଭଙ୍ଗା ଶୀତରେ ଘରୁ ବାହାରକୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ତେବେ ଏହି ଶୀତରେ ବାହା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସୂଚନାନୁଯାୟୀ ଦେବଘର ଘୋରମାରାର ଅର୍ଣ୍ଣବ ନାମକ ଜଣେ ଯୁବକଙ୍କ ବିବାହ ଅଙ୍କିତା ନାମକ ଯୁବତୀଙ୍କ ସହ ସ୍ଥିର ହୋଇଥିଲା । ଉଭୟ ପକ୍ଷ ପରିବାରଙ୍କ ସହମତିରେ ଏକ ଗ୍ୟାଡେନରେ ଚାଲିଥିଲା ବିବାହ । ସମୟନୁଯାୟୀ ରୀତିନୀତି ବି ସଠିକ୍ ଭାବେ ଚାଲିଥାଏ । ଖୋଲା ଆକାଶ ତଳେ ବିବାହ ମଣ୍ଡପ ରହିଥିଲା । ବରଣମାଳା ପିନ୍ଧାଇ ମଣ୍ଡପକୁ ଯିବା ପରେ ସେଠାରେ ଶୀତ ସହି ନ ପାରି ପଡିଯାଇଥିଲେ ବର ଜଣକ । ପ୍ରାୟ ଦେଢ ଘଣ୍ଟାଏ ଯାଏଁ ଚେତା ଆସିନଥିଲା । ପରେ ଡାକ୍ତର ଆସି ଚିକିତ୍ସା କରିବା ପରେ ଫେରିଥିଲା ଚେତା । ସେପଟେ ବର ମଣ୍ଡପରେ ଏତେ ସମୟ ଚେତାଶୂନ୍ୟ ହେବାର ଦେଖି ତୁରନ୍ତ ବିବାହ କରିବାକୁ ମନା କରିଦେଇଥିଲେ କନ୍ୟା ।
ବରର କୌଣସି ରୋଗରେ ଆକ୍ରାନ୍ତ ଥାଇପାରନ୍ତି ବୋଲି ସନ୍ଦେହ କରି ସେ ବିବାହ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି । ଏ ଘଟଣାକୁ ନେଇ ଉଭୟ ପକ୍ଷରୁ ବିବାଦ ଆରମ୍ଭ ହୋଇଥିଲା । କଥା ପୋଲିସ ଯାଏଁ ବି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷକୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ବି ଅସଫଳ ରହିଥିଲା । ଶେଷର ଉଭୟଙ୍କ ସହମତିରେ ବିବାହ ବନ୍ଦ ହୋଇଯାଇଥିଲା ।
ଅଧିକ ପଢନ୍ତୁ: ପ୍ରଦୂଷଣ ବଳୟରେ କଲବଲ ଦିଲ୍ଲୀବାସୀ; ରାଜଧାନୀର ୩୨ଟି ଅଞ୍ଚଳରେ ୪୫୦ ଟପିଲା ଏକ୍ୟୁଆଇ, କୁହୁଡ଼ି ପାଇଁ ଜାରି ହେଲା ଅରେଞ୍ଜ ଓ ୟେଲୋ ୱାଣ୍ଣିଂ