ନୂଆଦିଲ୍ଲୀ: ସଂସଦ ପରିସରରେ ଧସ୍ତାଧସ୍ତିକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ସାଂସଦ ପ୍ରତାପ ଷଡଙ୍ଗୀ ଆହତ ହୋଇଥିବା ବିଜେପି ଅଭିଯୋଗ ହୋଇଛି । କିନ୍ତୁ କଂଗ୍ରେସ ବିଜେପିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି । କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସଂସଦ କୌଣସି କୁସ୍ତି ଓ ସ୍ମାର୍ଟନେସ୍ ଦେଖାଇ ହେବାର ମଞ୍ଚ ନୁହେଁ ।
ସେ କହିଛନ୍ତି, ରାହୁଲ ଗାନ୍ଧୀ ଶାରୀରିକ ଶକ୍ତି ଦେଖାଇଛନ୍ତି । ରାହୁଲ ଗାନ୍ଧୀ ଆମର ଦୁଇ ସାଂସଦଙ୍କୁ ଧକ୍କା ମାରିଛନ୍ତି । ଯଦି ଆମର ସାଂସଦ ହାତ ଉଠାଇ ଦେଇଥାନ୍ତେ ତେବେ କଣ ହୋଇଥାନ୍ତା । ରାହୁଲ ଗାନ୍ଧୀ ବିଜେପିର ଦୁଇ ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ବଡ ଧକ୍କା ମାରିଛନ୍ତି । ଏଥିରେ ଉଭୟ ଗୁରୁତର ଆହତ ହୋଇଛନ୍ତି । କଣ ରାହୁଲ ଗାନ୍ଧୀ ଅନ୍ୟ ସାଂସଦଙ୍କୁ ମାରିବା ପାଇଁ କରାଟେ-କୁମ୍ଫୁ ଶିଖିଛନ୍ତି ।
ରିଜିକୁ ଏହା ମଧ୍ୟ କହିଛନ୍ତି, ସଂସଦ ପରିସରରେ ସାଂସଦ ନିଜ ନିଜର ବିଚାରକୁ ନେଇ ପ୍ରଦର୍ଶନ କରିଥାନ୍ତି । କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତା ତ ପ୍ରତିଦିନ ପ୍ରଦର୍ଶନ କରୁଛନ୍ତି । ଆଜି ଏନଡିଏର ସାଂସଦ ଏଥିପାଇଁ ପ୍ରଦର୍ଶନ କରିଛନ୍ତି କାରଣ କଂଗ୍ରେସ ପାର୍ଟି ବାବାସାହେବ ଆମ୍ବେଦକରଙ୍କୁ ସ୍ୱାଧୀନତା ସମୟଠୁ ନେଇ ଏ ପର୍ଯ୍ୟନ୍ତ ଅପମାନ କରି ଚାଲିଛି । ପୁଣି ମିଛ କହି ସଂସଦ ଭିତରେ ଏବଂ ବାହାରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଅପମାନିତ କରୁଛନ୍ତି ।