ନୂଆଦିଲ୍ଲୀ: ସଂସଦର ପ୍ରବେଶ ପଥରେ ବିକ୍ଷୋଭ ପ୍ରଦର୍ଶନବେଳେ ଦୁଇ ସାଂସଦ ମୁକେଶ ରାଜପୁତ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଘାତ ଲାଗିବା ମାମଲା ଏବେ ଥାନାକୁ ଯାଇଛି । କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାଂଶୁରୀ ସ୍ୱରାଜ, ଅନୁରାଗ ଠାକୁର ଏବଂ ହେମାଙ୍ଗ ଯୋଶୀ । ସଂସଦ ଭବନ ପରିସରରେ ଥିବା ସଂସଦ ମାର୍ଗ ଥାନା ରାହୁଲଙ୍କ ନାଁରେ ଏତଲା ଦିଆଯାଇଛି । ଏନଡିଏ ପକ୍ଷରୁ ଏହି ଏତଲା ଦିଆଯାଇଥିବା ନେଇ ସୂଚନା ମିଳିଛି ।
ଅନ୍ୟପକ୍ଷରେ କଂଗ୍ରେସ ସାଂସଦମାନେ ବିଜେପି ବିରୋଧରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଫେରାଦ ଦେଇଛନ୍ତି । କେସି ବେଣୁଗୋପାଳ, କେ ସୁରେଶ ଓ ମଣିକ୍କାମ୍ ଟାଗୋର ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ସଦସ୍ୟମାନେ ବି ଆର୍ ଆମ୍ବେଦଙ୍କ ପ୍ରତିମୂର୍ତ୍ତି ନିକଟରୁ ମକର ଦ୍ୱାର ଅଭିମୁଖେ ଯାଉଥିଲେ । ମକର ଦ୍ୱାର ପ୍ରବେଶ ପଥ ନିକଟରେ ଶାସକ ଦଳର ସଦସ୍ୟମାନେ ତାଙ୍କୁ ବଳ ପୂର୍ବକ ଅଟକାଇଥିଲେ । ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବଳପୂର୍ବକ ଅଟକାଇଥିଲେ ବୋଲି ଅଭିଯୋଗ କରିଛନ୍ତି ।
ଆଜି ସଂସଦରେ ଉଭୟ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ବିକ୍ଷୋଭ କରୁଥିବାବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡ ଗଭୀର ଆଘାତ ଲାଗିଛି । ରାହୁଲ ଗାନ୍ଧୀଙ୍କ ଯୋଗୁଁ ଏଭଳି ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ ଜଣେ ସାଂସଦକୁ ଧକ୍କା ଦେବାରୁ ସେ ଆସି ପ୍ରତାପ ଷଡ଼ଙ୍ଗୀ ଉପରେ ପଡ଼ି ଯାଇଥିଲେ । ଏହା ପରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡ଼ି ଯାଇଥିଲେ । ଫଳରେ ପ୍ରତାପଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା ତାଙ୍କ ବାମ ଆଖି ପାଖରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଏବେ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି । ପ୍ରତାପଙ୍କ ମୁଣ୍ଡ ଲାଗିଥିବା କ୍ଷତ ସ୍ଥାନରେ ସିଲେଇ ପଡ଼ିଥିବାବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ, ଶିବରାଜ ସିଂହ ଚୌହ୍ୱାନ ପ୍ରମୁଖ ମେଡ଼ିକାଲରେ ପହଁଚି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।