ନୂଆଦିଲ୍ଲୀ: ଆଜି ସଂସଦ ଭବନ ପରିସରରେ ଯେଉଁ ଅଭାବନୀୟ ଘଟଣା ଘଟିଛି ତାହାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲରେ ଚର୍ଚ୍ଚାର କେନ୍ଦ୍ର ବିନନ୍ଦୁ ପାଲଟିଛି । କଂଗ୍ରେସ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଚରଣକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାହୁଲଙ୍କୁ ଆଚରଣକୁ ନିନ୍ଦା କରି କହିଛନ୍ତି ସଂସଦ ପରିସରରେ ସମ୍ବିଧାନର ଯେଉଁମାନେ ଦ୍ୱାହି ଦେଉଛନ୍ତି, ସଂସଦ ପରିସରରେ ସେମାନଙ୍କ ଗୁଣ୍ଡାଗର୍ଦ୍ଦିକୁ ଭାରତର ଜନତା ସହିବେ ନାହିଁ । ଜଣେ ମହିଳା ସାଂସଦଙ୍କୁ ମଧ୍ୟ ସେ ଧକ୍କା ଦେଇଛନ୍ତି । ମହିଳା ସାଂସଦ କୋନିଆଙ୍କୁ ମଧ୍ୟ ଛାତିରେ ଧକ୍କା ମାରି ଯାଇଛନ୍ତି । ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ଧକ୍କା ଦେଇଛନ୍ତି । ତାଙ୍କ ଦଳର ସଦସ୍ୟମାନେ ମଧ୍ୟ ଏହା ଦେଖିଛନ୍ତି । ସଂସଦରେ ସମସ୍ତଙ୍କର ବିରୋଧ କରିବାର ଅଧିକାର ରହିଛି । ସଂସଦ କାହାର ପୈତୃକ ସମ୍ପତ୍ତି ନୁହେଁ । ନିର୍ଲଜତାର ସୀମା ରହିଛି । ଏହା ରାହୁଲ ଗାନ୍ଧୀଙ୍କର ସାମନ୍ତବାଦ ଚିନ୍ତାଧାରାର ପ୍ରମାଣ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ବିରୋଧ ହେଉ କିନ୍ତୁ ଶାଳୀନତାର ସହିତ ହେଉ । ବିରୋଧ କରିବାର ସମସ୍ତଙ୍କର ଅଧିକାର ରହିଛି, ଯଦି କୌଣସି ଥିରେ ସହମତି ନାହିଁ ବିରୋଧ କରନ୍ତୁ । ଆଜି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଯାହା ହୋଇଛି ତାହା ଅତ୍ୟନ୍ତ ଲଜ୍ଜା ଜନକ । ଏହା ହେବା କଥା ନୁହେଁ । ସେପଟେ ସାଂସଦ ପ୍ରତାପ ଷଡ଼ଙ୍ଗୀକୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର ରକ୍ତଚାପ ବୃଦ୍ଧି ପାଇଥିବା ଡାକ୍ତର ସହିତ ଆଲୋଚନା କରିଥିବା କହିଛନ୍ତି ଅପରାଜିତା ।
ଆଜି ସଂସଦରେ ଉଭୟ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ବିକ୍ଷୋଭ କରୁଥିବାବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡ ଗଭୀର ଆଘାତ ଲାଗିଛି । ରାହୁଲ ଗାନ୍ଧୀଙ୍କ ଯୋଗୁଁ ଏଭଳି ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ଯେ ଜଣେ ସାଂସଦକୁ ଧକ୍କା ଦେବାରୁ ସେ ଆସି ପ୍ରତାପ ଷଡ଼ଙ୍ଗୀ ଉପରେ ପଡ଼ି ଯାଇଥିଲେ । ଏହା ପରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡ଼ି ଯାଇଥିଲେ । ଫଳରେ ପ୍ରତାପଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା ତାଙ୍କ ବାମ ଆଖି ପାଖରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ସାଂସଦ ରାହୁଲ ଗାନ୍ଧୀ ନିଜ ଭୁଲକୁ ସ୍ୱୀକାର ନ କରି କିମ୍ବା ଏତେ ବଡ଼ ସମ୍ବେଦନଶୀଳ ଘଟଣାରେ ଦୁଃଖ ପ୍ରକାଶ ନ କରି ବିଜେପି ଉପରେ ପାଲଟା ଅଭିଯୋଗ କରିଛନ୍ତି । ରାହୁଲ କହିଛନ୍ତି ଯେ ସେ ସଂସଦ ଭବନକୁ ଯିବାକୁ ଚାହୁଁଥିବାବେଳେ ବିଜେପି ସାଂସଦମାନେ ତାଙ୍କୁ ଅଟକାଇଥିଲେ ଏବଂ ଧମକ ଚମକ ଦେଇଥିଲେ । ସଂସଦକୁ ଯିବା ଆମର ଅଧିକାର, ଠେଲାପେଲା କଲେ ଆମର କିଛି ହେବନି ବୋଲି ସେ କହିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବାବା ସାହେବ ଆମ୍ବେଦକରଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ କଂଗ୍ରେସ ସଂସଦରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି । ଆଜି ପୁଣି ଥରେ କଂଗ୍ରେସ ଗୃହ ମନ୍ତ୍ରୀ ଅମିତ ଶାହଙ୍କ କ୍ଷମା ପ୍ରାର୍ଥନା ଏବଂ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଏହି ଅଘଟଣ ଘଟିଛି ।