ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ମୁକାବିଲା ବ୍ରିସ୍ବେନ୍ର ଗାବାରେ ଜାରି ରହିଛି। ବର୍ଷା ବାଧିତ ଏହି ଟେଷ୍ଟ ମ୍ୟାଚ୍ରେ ମଙ୍ଗଳବାର ଚତୁର୍ଥ ଦିନର ଖେଳ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ପ୍ରଥମ ପାଳିରେ ୬ଟି ୱିକେଟ୍ ହରାଇ ୧୪୫ ରନ୍ କରିଥିବା ବେଳେ ୩୦୦ ରନ୍ ପଛରେ ରହିଛି। ନିତିଶ କୁମାର ରେଡ୍ଡୀ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଉପରେ ଭାରତ ଏବେ ନିର୍ଭର କରୁଛି। କେଏଲ୍ ରାହୁଲ୍ ୮୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି।
ଗାବା ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍ ମଧ୍ୟ ନିରବ ରହିଥିଲା। ବ୍ୟକ୍ତିଗତ କାରଣରୁ ବୋର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ଟେଷ୍ଟରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ବ୍ୟାଟିଂରେ ଫ୍ଲପ୍ ହୋଇଥିଲେ। ଆଡିଲେଡ ଟେଷ୍ଟରେ ସେ ଉଭୟ ଇନିଂସରେ ମାତ୍ର ୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ପୂର୍ବରୁ ଗତ ୬ ଟେଷ୍ଟରେ ତାଙ୍କର ହାରାହାରି ୧୧ ରହିଥିଲା।
ଆଜି ରୋହିତଙ୍କ ଠାରୁ ଦଳ ବଡ଼ ଇନିଂସ ଆଶା କରୁଥିବା ବେଳେ ସେ ସମସ୍ତଙ୍କ ହୃଦୟ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା। ମାତ୍ର ୧୦ ରନ୍ କରି ସେ ଫେରିଯାଇଥିଲେ। ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ରୋହିତଙ୍କୁ ନିଜର ଶିକାର କରି ପ୍ୟାଭିଲିୟନ୍ ଯିବାର ବାଟ ଦେଖାଇଥିଲେ। ରୋହିତଙ୍କୁ ଶସ୍ତାରେ ଆଉଟ୍ ହେଉଥିବା ଦେଖି ପ୍ରଶଂସକମାନେ ନିରାଶ ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୪୫ ରନ୍ରେ ଅଲଆଉଟ୍ ହୋଇଥିଲେ ହେଁ ଜବାବରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ ପଛରେ ପଡ଼ିଛି। ବିରାଟ କୋହଲି (୩)ଙ୍କ ଖରାପ ଫର୍ମ ଜାରି ରହିଥିବା ବେଳେ ତାଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ (୪) ଓ ଶୁବମନ ଗିଲ (୧)ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ। ଋଷଭ ପନ୍ତ ୯ ରନ୍ କରିଥିଲେ।
ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୧୭ ଓଭରରେ ୪ ଓ୍ଵିକେଟ୍ ହରାଇ ୫୧ ରନ୍ କରିଥିଲା। କେଏଲ ରାହୁଲ ୩୩ ରନ୍ କରିଥିବା ବେଳେ ରୋହିତ ଶର୍ମା ଏପର୍ଯ୍ୟନ୍ତ ଖାତା ଖୋଲି ପାରି ନଥିଲେ। ତୃତୀୟ ଦିନ ଶେଷ ସୁଦ୍ଧା ୨ ୱିକେଟ୍ ନେଇଥିବା ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ଅତ୍ୟନ୍ତ ମାରାତ୍ମକ ବୋଲିଂ କରୁଛନ୍ତି। ତୃତୀୟ ଦିନରେ ଆଲେକ୍ସ କେରି ଅଷ୍ଟ୍ରେଲିଆ ପାଇଁ ୭୦ ରନ୍ କରି ଦଳକୁ ୪୪୫ ରନ୍ର ବଡ଼ ସ୍କୋରରେ ପହଞ୍ଚାଇବାରେ ସହାୟକ ହୋଇଥିଲେ।
ଅଧିକ ପଢ଼ନ୍ତୁ: ୱିସ୍କନ୍ସିନ୍ ସ୍କୁଲ୍ରେ ଗୁଳିକାଣ୍ଡ: ଆକ୍ରମଣକାରୀଙ୍କ ସମେତ ୫ ମୃତ