ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ଭାରତର ପ୍ରାଧ୍ୟାନ୍ୟ ଜାରି ରହିଛି।ଦ୍ଵିତୀୟ ଇନିଂସରେ ଭାରତ ଭ୍ରମଣକାରୀ ବାଂଲାଦେଶ ସାମ୍ନାରେ ୫୧୫ ରନର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ ବାଂଲାଦେଶ ତୃତୀୟ ଦିନର ଷ୍ଟମ୍ପ ଅପସାରଣ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ଭାରତକୁ ଜିତିବା ପାଇଁ ୬ ଓ୍ଵିକେଟ୍ ଦରକାର ଥିବା ବେଳେ ବାଂଲାଦେଶକୁ ଆବଶ୍ୟକ ୩୫୭ ରନ। କ୍ରିଜରେ ଭ୍ରମଣକାରୀ ଦଳର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୫୧ ରନ ଓ ଶାକିବ ଅଲ ହସନ ୫ ରନ ବ୍ୟାଟିଂ କରୁଛନ୍ତି। ମ୍ୟାଚ୍ ଆହୁରି ଦୁଇ ଦିନ ବାକିଥିବା ବେଳେ ଚତୁର୍ଥ ଦିନରେ ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି। । ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଋଷଭ ପନ୍ତ ଓ ଶୁଭମନ ଗିଲ୍ ଶତକ ଅର୍ଜନ କରିଥିବା ବେଳେ ଏ ପର୍ଯ୍ୟନ୍ତ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୩ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
ଦ୍ଵିତୀୟ ଇନିଂସରେ ୫୧୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶକୁ ଦୁଇ ଓପନର ଜାକିର ହସନ ଓ ଶାଦମନ ଇସ୍ଲାମ ଦୃଢ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ରେ ୬୨ ରନ ଯୋଡ଼ି ଭାରତୀୟ ବୋଲରଙ୍କୁ କିଛି ସମୟ ନିରାଶ କରିଥିଲେ। ତେବେ ଜାକିର ହସନ(୩୩ ରନ)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଯୋଡ଼ି ଭାଙ୍ଗିବା ସହ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଦଳ ଆଉ ୩ଟି ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ରହିଛି। ଶାଦମନ ଇସଲାମ(୩୫), ମୋନିମୁଲ ହକ୍(୧୩) ଓ ମୁସଫିକର ରହିମ(୧୩)ଙ୍କୁ ଆଉ୍ କରିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ। ଅଧିନାୟକ ସାଣ୍ଟୋ ୫୧ ରନ ଓ ଶାକିବ ଅଲ ହସନ ୫ ରନ ଅପରାଜିତ ଅଛନ୍ତି।
ଏହା ପୂର୍ବରୁ ଆଜି ଶୁଭମନ ଗି୍ଲ ଓ ଋଷଭ ପନ୍ତ ତୃତୀୟ ଦିନରେ ଦମଦାର ବ୍ୟାଟିଂ କରିଥିଲେ। ଗତକାଲି ମନ୍ଥର ଖେଳିଥିବା ପନ୍ତ ଆଜି ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ନିଜର ଟେଷ୍ଟ କ୍ୟାରିୟରରେ ଷଷ୍ଠ ଶତକ ହାସଲ କରିଥିଲେ। ସେ ୧୦୬ ରନ କରି ଆଉଟ୍ ହେବା ପୂର୍ବରୁ ଗିଲ୍ଙ୍କ ସହ ଚତୁର୍ଥ ଓ୍ଵିକେଟ୍ରେ ୧୬୭ ରନ ଯୋଡ଼ିଥିଲେ। ଏହା ପରେ ଗିଲ୍ ମଧ୍ୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ପୂରଣ କରିଥିଲେ। ସେ ୧୧୯ ରନ ଓ କେଏଲ ରାହୁଲ ୨୨ ରନ କରି କ୍ରିଜରେ ଅପରାଜିତ ଥିଲେ। ଭାରତର ସ୍କୋର ୨୮୭/୪ରେ ଅଧିନାୟକ ରୋହିତ ଶର୍ମା ପାଳି ସମାପ୍ତି ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ଵିନ ୧୧୩ ରନ, ଜାଡ଼େଜା ୮୬ ଓ ଜୟସ୍ଵାଲ ୫୬ ରନ ବଳରେ ୩୭୬ ରନ କରିଥିଲା। । ଜବାବରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪୯ ରନରେ ଅଲଆଉଟ୍ ହୋଇଥିଲା।