ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ କରିଛନ୍ତି । ସେ ମ୍ୟାଚର ପ୍ରଥମ ଦିନରେ ନିଜ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ହାସଲ କରି କ୍ରିଜରେ ଜମି ରହିଥିଲେ । ସେ ବିଶ୍ୱରେକର୍ଡ ବ୍ୟାଟିଂରେ ନୁହେଁ ଜଣେ ଅଲରାଉଣ୍ଡର ଭାବେ କରିଛନ୍ତି । ଅଶ୍ୱିନ ନିଜ କ୍ୟାରିୟରରେ ୬ ଶତକ ସହ ୧୬ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିଛନ୍ତି । ଚେନ୍ନାଇରେ ଜାରି ପ୍ରଥମ ଟେଷ୍ଟରେ ସେ ୧୧୩ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି ।
ଅଶ୍ୱିନଙ୍କ ବିଶ୍ୱ ରେକର୍ଡ
ଅଶ୍ୱିନ ଟେଷ୍ଟ କ୍ରିକେଟରେ ଜଣେ ବ୍ୟାଟର ଭାବେ ୨୦ ଥର ୫୦ କିମ୍ବା ତଦୁର୍ଦ୍ଧ୍ୱ ରନ କରିବା ସହିତ ବୋଲିଂରେ ୩୦ରୁ ଅଧିକ ୫ ଥର ୱିକେଟ୍ ନେବାରେ ପ୍ରଥମ କ୍ରିକେଟର ହେବାର କୀର୍ତ୍ତିମାନ ରଚିଛନ୍ତି । ଏ ପର୍ଯ୍ୟନ୍ତ ୧୪୭ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ଏ ପର୍ଯ୍ୟନ୍ତ କୌଣସି ଖେଳାଳି ଏହି କାରାନାମା କରି ପାରି ନାହାନ୍ତି । ଅଶ୍ୱିନ ଏହି ଉପଲବ୍ଧି ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି ।
ବାଂଲାଦେଶ ବିପକ୍ଷ ମ୍ୟାଚ୍ ଅଶ୍ୱିନଙ୍କ ଟେଷ୍ଟ କ୍ୟାରିୟରର ୧୦୧ତମ ମ୍ୟାଚ୍ । ସେ ବ୍ୟାଟିଂରେ ୩୪୦୦ରୁ ଅଧିକ ରନ କରିଛନ୍ତି । ଏଥିରେ ୬ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ । ବୋଲିଂରେ ସେ ଟେଷ୍ଟ ମ୍ୟାଚରେ ୩୬ରୁ ଅଧିକ ଥର ଗୋଟିଏ ଇନିଂସରେ ୫ କିମ୍ବା ଅଧିକ ୱିକେଟ୍ ନେଇଛନ୍ତି ।
ଅଶ୍ୱିନଙ୍କ ରେକର୍ଡ ଏଥିପାଇଁ ଅଧିକ ରୋଚକ କାରଣ ସେ ନିଜର ଚାରି ଶତକ ଅଷ୍ଠମ କିମ୍ବା ନିମ୍ନ କ୍ରମରେ ବ୍ୟାଟିଂ କରି ହାସଲ କରିଛନ୍ତି । ଏ ପର୍ଯ୍ୟନ୍ତ ଆଠ କିମ୍ବା ସେଥିରୁ ନିମ୍ନକ୍ରମରେ ବ୍ୟାଟିଂ କରି ଅଧିକ ଶତକ ହାସଲ କରିବାର ରେକର୍ଡ ନ୍ୟୁଜିଲାଣ୍ଡର ଡାନିଏଲ ଭିଟୋରୀଙ୍କ ନାମରେ ରହିଛି । ସେ ଏହି କ୍ରମରେ ବ୍ୟାଟିଂ କରି ୫ ଶତକ ହାସଲ କରିଥିଲେ ।