ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଘଟିଥିବା ହିଂସା ମାମଲାରେ ଦାଖଲ ଏକ ଆବେଦନକୁ ନେଇ ସୁପ୍ରିମକୋର୍ଟ ସିବିଆଇକୁ ତାଗିଦ କରିଛନ୍ତି । ପଶ୍ଚିମବଙ୍ଗରେ ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଯାଇଥିବା ଏହି ଆବେଦନକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଏହା ବହୁତ ଦୁଭାର୍ଗ୍ୟପୂର୍ଣ୍ଣ । ସିବିଆଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରି ୪୫ କେସକୁ ପଶ୍ଚିମବଙ୍ଗରୁ ବାହାର ଅଦାଲତକୁ ସ୍ଥାନାନ୍ତର କରିବାକୁ ଦାବି କିଥିଲା ।
ଏହା ଉପରେ ଜଷ୍ଟିସ ଏଏସ ଓକା ଓ ପଙ୍କଜ ମିଥଲଙ୍କ ପୀଠ କହିଛନ୍ତି, ଏହି ପରି ଭାବେ ସିବିଆଇ ନ୍ୟାୟପାଳିକାର ଛବିକୁ ମଳିନ କରୁଛି । ସିବିଆଇ କହିଥିଲା ପଶ୍ଚିମବଙ୍ଗର ଅଦାଲତରେ ଶୁଣାଣି ସମୟରେ ସେମାନଙ୍କ ସହିତ ଶତ୍ରୁଙ୍କ ପରି ବ୍ୟବହାର କରାଯାଉଛି । ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଆପତ୍ତିଜନକ ଦର୍ଶାଇ ଯାଚିକା ପ୍ରତ୍ୟାହାର କରି ନେବାକୁ ଆଦେଶ ଦେଇଛନ୍ତି ।
ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କୁ କହିଛନ୍ତି ଯେ, ଆବେଦନରେ କୁହାଯାଇଛି ଜଜ ଭୁଲ ଢଙ୍ଗରେ ଜାମିନ ପ୍ରଦାନ କରୁଛନ୍ତି । ଆପଣ ସମସ୍ତ ଅଦାଲତକୁ କାଠଗଡାରେ ଛିଡା କରାଉଛନ୍ତି ଏବଂ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି । ଆଉ ଆପଣ ଜଜଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି । ଏହା କଦାପି ଗ୍ରହଣୀୟ ନୁହେଁ । କଲିକତା ହାଇକୋର୍ଟଙ୍କ ଆଦେଶ ପରେ ସିବିଆଇ ନିର୍ବାଚନ ପରର ହିଂସା ଘଟଣାର ଯାଞ୍ଚ କରୁଛି । ଏଜେନ୍ସିର କହିବା କଥା ରାଜ୍ୟର ମାହୋଲ ଠିକ୍ ନୁହେଁ । ଏମିତିରେ ନିରପେକ୍ଷ ଶୁଣାଣି ପାଇଁ ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଛି ।