ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୩’ ଏବଂ ଅଜୟ ଦେବଗନଙ୍କ ‘ସିଙ୍ଘମ ଏଗେନ’ ଏହି ଦୁଇ ଫିଲ୍ମକୁ ସିନେ ପ୍ରେମୀ ଚାହିଁ ରହିଛନ୍ତି । ଏହାକୁ ନେଇ ଉଭୟ ଅଭିନେତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ଏହାମଧ୍ୟରେ ଦୁଇ ଫିଲ୍ମର ରିଲିଜ ତାରିଖକୁ ନେଇ ବିବାଦ ଦେଖିବାକୁ ମିଳିଛି । ‘ଭୁଲ ଭୁଲେୟା ୩’ର ନିର୍ଦ୍ଦେଶକ ଅନୀସ ବଜମି ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ପରଦାରେ ଏହି ଦୁଇ ଫିଲ୍ମ ଏକ ସଙ୍ଗେ ହିଁ ରିଲିଜ ହେବ । ଆମ ତରଫରୁ ରିଲିଜ ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।
କିଛି ଦିନ ପୂର୍ବେ ଖବର ଆସିଥିଲା ଯେ, କାର୍ତ୍ତିକ ଆର୍ଯ୍ୟନ ‘ସିଙ୍ଘମ ଏଗେନ’ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଫୋନ କରି ଆଲୋଚନା କରିଥିଲେ । କାର୍ତ୍ତିକ ରୋହିତଙ୍କୁ ଅନୁରୋଧ କରିଥିଲେ ଯେ, ଦୁଇ ଫିଲ୍ମକୁ ଗୋଟିଏ ତାରିଖରେ ରିଲିଜ୍ କରା ନ ଯାଉ । ପୁଣି ଏହା କୁହାଗଲା ଯେ, ରୋହିତ ସେଟ୍ଟୀଙ୍କ ଟିମ୍ କାର୍ତ୍ତିକଙ୍କ ଏହି ଅନୁରୋଧ ଉପରେ ବିଚାର କରୁଛନ୍ତି । ତେବେ ଭୁଲ ଭୁଲେୟା ୩ର ନିର୍ଦ୍ଦେଶକ ଅନୀସ ବଜମି ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବକ୍ସ ଅଫିସର ସଂଖ୍ୟା ଗଣିତରେ ସେ ପଡିବାକୁ ଚାହୁଁ ନାହାନ୍ତି ।
ସେ କହିଛନ୍ତି, ଅନେକ ଗଣମାଧ୍ୟମ ମୋର ବୟାନକୁ ଭୁଲ ଭାବେ ଚିତ୍ରଣ କରୁଛନ୍ତି । ତିନି ଦଶନ୍ଧି ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରୀରେ ଜଣେ ଫିଲ୍ମକାର ଭାବେ କାମ କରିବା ଦୃଷ୍ଟିରୁ ମୁଁ ଭଲ କାହାଣୀ ଉପରେ ଅଧିକ ଧ୍ୟାନ ଦେଇଥାଏ । ମୁଁ ଫିଲ୍ମର ରିଲିଜ ତାରିଖ ଏବଂ ବ୍ୟବସାୟ ମାମଲାକୁ ନେଇ ଚିନ୍ତିତ ନୁହେଁ । ମୁଁ ଅନେକ ଫିଲ୍ମକୁ ଗୋଟିଏ ତାରିଖରେ ରିଲିଜ ହୋଇ ଭଲ କାରବାର କରିଥିବା ଦେଖିଛି । କିନ୍ତୁ ମୋର ଏହି ଶବ୍ଦକୁ ଭୁଲ୍ ଭାବେ ଦର୍ଶାଯାଇଛି । ମୁଁ ସିଙ୍ଘମ ୩ ଏବଂ ଭୁଲ ଭୁଲେୟା ୩କୁ ନେଇ ଉତ୍ସାହିତ ଅଛି । ଏହା ଦୁଇଟି ଭଲ ଫିଲ୍ମ । ଦୁଇ ପ୍ରଭାବଶାଳୀ ଟିମ୍ ଦୁଇ ଫିଲ୍ମ ଉପରେ କାମ କରିଛନ୍ତି । ଚାଲନ୍ତୁ ଦୁଇ ଫିଲ୍ମକୁ ଦେଖି ସଫଳ କରାଇବା ବୋଲି ଭୁଲ ଭୁଲେୟା ୩ର ନିର୍ଦ୍ଦେଶକ କହିଛନ୍ତି ।