ଅମରାବତୀ: ତିରୁପତି ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସାଦରେ ଅପମିଶ୍ରଣ ହେଉଥିବା ସ୍ପଷ୍ଟ ହୋଇଛି । ପ୍ରସାଦ ପ୍ରସ୍ତୁତ ହେଉଥିବା ଘିଅରେ ପଶୁଙ୍କ ଚର୍ବି ମିଶାଯାଉଥିବା ଜଣା ପଡିଛି । ଏହାକୁ ନେଇ ସମଗ୍ର ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ମନ୍ଦିର କର୍ତ୍ତୃପକ୍ଷ ଖେଳିଥିବା ଅଭିଯୋଗ ହୋଇଛି । କ୍ଷମତାସୀନ ତେଲୁଗ ଦେଶମ ପାର୍ଟି(ଟିଡିପି) ଦାବି କରିଛି ଯେ, ଗୁଜରାଟ ସ୍ଥିତ ପଶୁଧନ ପ୍ରୟୋଗାଶାଳା ପକ୍ଷରୁ ଘିଅରେ ଅପମିଶ୍ରଣ ହୋଇଥିବା ଜଣା ପଡିଛି ।
ଟିଡିପି କହିଛି, ପ୍ରସାଦ ଭାବେ ବଣ୍ଟନ କରାଯାଉଥିବା ଲଡୁ ତିଆରିରେ ଗୋମାଂସର ଚର୍ବି, ମାଛ ତେଲ ବ୍ୟବହାର କରାଯାଉଥିଲା । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ସନାତନ ଧର୍ମ ରକ୍ଷଣ ବୋର୍ଡ ଗଠନ କରିବାକୁ ଦାବି କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ତିରୁପତି ବାଲାଜୀ ପ୍ରସାଦରେ ପଶୁଙ୍କ ଚର୍ବି ମିଶ୍ରଣ କରାଯାଉଥିବା ଖବର ଶୁଣି ମର୍ମାହତ । ତତ୍କାଳିନ ୱାଇସିପି ସରକାର ଦ୍ୱାରା ଗଠିତ ଟିଟିଡି ବୋର୍ଡକୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଆମର ସରକାର ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସେ ଏହା ମଧ୍ୟ କହିଛନ୍ତି, ସମୟ ଆସି ଯାଇଛି ପୁରା ଭାରତରେ ମନ୍ଦିର ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ବିଚାର ପାଇଁ ଏକ ଜାତୀୟସ୍ତରରେ ସନାତନ ଧର୍ମ ରକ୍ଷଣ ବୋର୍ଡ ଗଠନ କରାଯାଉଛି । ସମସ୍ତ ନୀତି ନିର୍ମାତା, ଧାର୍ମିକ ପ୍ରମୁଖ, ନ୍ୟାୟପାଳିକା, ନାଗରିକ, ଗଣମାଧ୍ୟମ ଏବଂ ନିଜ ନିଜ କ୍ଷେତ୍ରରେ ସମସ୍ତଙ୍କ ଦ୍ୱାରା ଜାତୀୟସ୍ତରରେ ଏହାକୁ ନେଇ ବିତର୍କ ହେବା ଉଚିତ୍ । ମୋତେ ଲାଗୁଛି ଆମ ସମସ୍ତଙ୍କୁ କୌଣସି ବି ପ୍ରକାରେ ସନାତନ ଧର୍ମର ଅପମାନକୁ ରୋକିବା ପାଇଁ ଏକତ୍ର ଆସିବା ଉଚିତ୍ ।