ବଲାଙ୍ଗୀର : ଅଧାରୁ ବୈଠକ ଛାଡ଼ିଲେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟ ।ଶିକ୍ଷାର ବିକାଶ ପାଇଁ ଆଲୋଚନାରେ ଭାଗ ନେବାକୁ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟଙ୍କ ଯେମିତି ଇଚ୍ଛା ନାହିଁ । ଶୁକ୍ରବାର ପୂର୍ବାହ୍ନରେ ଶିକ୍ଷାର ବିକାଶ ପାଇଁ ଏକ ଆଲୋଚନା ଦିଗରେ ସ୍ଵତନ୍ତ୍ର ବୈଠକ ଚାଲିଥିବାବେଳେ ଅନୁଦାନ କାହିଁକି ଦିଆଯାଉନାହିଁ ବୋଲି ସଭ୍ୟ ମାନେ ହଟ୍ଟଗୋଳ କରିଥିଲେ ।
ଶିକ୍ଷାର ବିକାଶ ପାଇଁ ଆଲୋଚନା ନିମନ୍ତେ ବଲାଙ୍ଗୀର ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଡକାଯାଇଥିଲା। ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧି ଉପସ୍ଥିତ ଥିଲେ । ତେବେ ବୈଠକ ଆରମ୍ଭରୁ ହିଁ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ମାନେ ସଭାକୁ ବିରୋଧ କରିଥିଲେ । ନିଜ ନିଜ ଅଞ୍ଚଳର ଉନ୍ନୟନମୂଳକ ବିକାଶ କାମ ପାଇଁ ଆସୁଥିବା ଅନୁଦାନ କାହିଁକି ପ୍ରଦାନ କରାଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଜିଲ୍ଲା ପ୍ରଶାସନ ଏହାର ଉତ୍ତର ନଦେବା ପର୍ଯ୍ୟନ୍ତ ବୈଠକରେ ଆଲୋଚନା ହୋଇ ପାରିବନାହିଁ ବୋଲି କହିଥିଲେ ଏପରିକି ବୈଠକରୁ ଉଠି ଚାଲି ଆସିଥିଲେ। ଯାହାକୁ ନେଇ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା । ପରେ ଜିଲ୍ଲାପାଳ ସେମାନଙ୍କୁ ଯାଇ ବୁଝା ସୁଝା କରିବା ପରେ ସେମାନେ ପୁଣିଥରେ ଆଲୋଚନାରେ ସାମିଲ ହୋଇଥିବା ସୂଚନା ରହିଛି।