ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ ଆରମ୍ଭ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓଙ୍କ ଘରେ ଚଢ଼ାଉ କରାଯାଇଛି । ମୁଖ୍ୟଯନ୍ତ୍ରୀଙ୍କ ପୈତୃକ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।
ମୁଖ୍ୟଯନ୍ତ୍ରୀଙ୍କର ବ୍ରହ୍ମପୁର ଭାବିନିପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ପାତ୍ରପଡ଼ାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଥିବା ଏକ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ପୈତୃକ ବାସଭବନ, ବାଲେଶ୍ୱର ସରକାରୀ ବାସଭବନ ଓ କାର୍ଯ୍ୟାଳୟ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘର ଓ କେନ୍ଦୁଝର ବଳଦେବଜିଉ କଲୋନୀରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକ କାଳୀନ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ସରକାର ୧୦୦ ଦିନ ପୂର୍ତ୍ତି ଅବସରରେ କହିଥିଲେ ଯେ ବିଗତ ୧୦୦ ଦିନ ମଧ୍ୟରେ ଦୁର୍ନୀତି ନିବାରଣ ବିଭାଗରେ ୭୧ ଗୋଟି ମାମଲା ରୁଜୁ କରାଯାଇଛି । ଲାଞ୍ଚ, ସରକାରୀ ଅର୍ଥ ତୋଷାରପାତ ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରୁ ୫୮ ଜଣଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି । ଏଥିରେ କିରାଣୀଠାରୁ ଆରମ୍ଭ କରି ବଡ଼ ବଡ଼ ଅଧିକାରୀ ସାମିଲ ଅଛନ୍ତି । ପ୍ରଥମ ଶ୍ରେଣୀରେ ୧୭ ଅଧିକାରୀ ଏବଂ ୭ ଜଣ ଦ୍ୱିତୀୟ ଶ୍ରେଣୀର କର୍ମଚାରୀ ସାମିଲ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।