ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁର ସହରରେ ଥିବା ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଚଢ଼ାଉ କରାଯାଇ ନିଷିଦ୍ଧ ପଲିଥିନ ବ୍ୟବହାର ନେଇ କଡାକଡି ଯାଞ୍ଚ କରାଯାଉଛି। ଏଥିପାଇଁ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ଆକ୍ସନ ମୋଡରେ ଆସିଥିବା ବେଳେ ନିଷିଦ୍ଧ ପଲିଥିନ ଜବତ ହେବାପରେ ମୋଟା ଅଙ୍କର ଫାଇନ ମଧ୍ୟ ଲଗାଯାଉଛି।
ସୂଚନା ଅନୁସାରେ, ବହୁବର୍ଷ ହେବ ସମ୍ବଲପୁର ରେ ଥରେ ମାତ୍ର ବ୍ୟବହାର ହେଉଥିବା ପଲିଥିନ ବ୍ୟବହାରକୁ ନେଇ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ଏହା ବ୍ୟବହାର କଲେ ଫାଇନ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିୟମ ଲାଗୁ ରହିଛି। ତେବେ ଏହା ସତ୍ୱେ ବି ଖୋଲାଖୋଲି ଭାବରେ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ନିୟମ ଉଲ୍ଲଙ୍ଘନ କରାଯାଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିଲା। ଏହା ପରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସହରର ଗୋଲବଜାରରେ ଥିବା ଏକ ହୋଲସେଲ ଦୋକାନରେ ଚଢ଼ାଉ କରି ପ୍ରାୟ ୬୫ କେଜିର ଥରେ ବ୍ୟବହାର ହେଉଥିବା ପଲିଥିନ ଜବତ କରାଯାଇ ୯ ହଜାର ଟଙ୍କାର ଫାଇନ ଲଗାଯାଇଛି। ସେହିପରି ସମ୍ବଲପୁର ସହରର ବୁଢ଼ାରଜା ନିକଟରେ ଥିବା ଏକ ଦୋକାନ ରେ ଚଢ଼ାଉ କରି ୪ କେଜି ଗୋଟିଏ ଥର ବ୍ୟବହୃତ ପଲିଥିନ କୁ ଜବତ କରାଯାଇଛି। ଏହି ଘଟଣାରେ ମହାନଗର ନିଗମ କାର୍ଯ୍ୟାଳୟ ପକ୍ଷରୁ ଏହି ଦୋକାନୀଙ୍କ ଉପରେ ୨ହଜାର ଟଙ୍କାର ଫାଇନ ଲଗାଯାଇଛି।