ଭୁବନେଶ୍ଵର: ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଓ ଦୁର୍ବ୍ୟବହାର ମାମଲାରେ ଭରତପୁର ଥାନାର ତତ୍କାଳୀନ ୫ ଜଣ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ମାମଲାର ରୁଜୁ ହୋଇଛି । ମେଜରଙ୍କ ଲିଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚରେ ଅପରାଧିକ ମାମଲା ରୁଜୁ କରାଯାଇଛି । ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ର, ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସଲିଳମୟୀ ସାହୁ, ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କ ନାମ ଏହି ମାମଲାରେ ଜଡ଼ିତ ରହିଛି । କ୍ରାଇମବ୍ରାଞ୍ଚ କେସ୍ ନଂ ୧୧/୨୦୨୪ରେ ଅପରାଧିକ ମାମଲା ରୁଜୁ କରିଥିବା ଜଣାଯାଇଛି । ସମସ୍ତଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।
ଅନ୍ୟପକ୍ଷରେ ଭରତ ପୁଲିସର ନିର୍ଯ୍ୟାତନାର ଶୀକାର ହୋଇଥିବା ମେଜରଙ୍କ ବାନ୍ଧବୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପୀଡ଼ିତା କହିଛନ୍ତି ଯେ ରାତି ଗୋଟାଏ ବେଳେ କାମ ସାରି ଘରକୁ ଫେରିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଦୁର୍ବବ୍ୟହାର କରିଥିଲେ । ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯିବା ବେଳେ ପରିସ୍ଥିତି ଓଲଟା ହୋଇଥିଲା । ପୁଲିସ ମାମଲା ରୁଜୁ କରିବା ପରିବର୍ତ୍ତେ ୟୁନିଫର୍ମରେ ନ ପିନ୍ଧି ନାଇଟରେ ଥିବା ମହିଳା କନଷ୍ଟେବଳ ଗାଳି ଗୁଲଜ କରିଥିଲେ ।
ସେତିକିରେ ନିର୍ଯାତନା ଶେଷ ହୋଇ ନ ଥିଲା ଥାନାକୁ ପରେ ମହିଳା ଓ ପୁରୁଷ କର୍ମଚାରୀମାନେ ଆସି ଲିଖିତ ଅଭିଯୋଗ କରିବାକୁ ଦାବି କରିଥିଲେ । ମେଜର ଗୁରୁବଂଶ FIR ଲେଖିବା ପାଇଁ ରାଜି ହୋଇଥିଲେ । କିନ୍ତୁ ଏହା ପରେ କିଛି ଯୁକ୍ତି ତର୍କ ହେବାରୁ ମେଜରଙ୍କୁ ହାଜତରେ ଭର୍ତ୍ତି କରି ଦେଇଥିଲେ । ବାନ୍ଧବୀ ଏହାର ପ୍ରତିବାଦ କରିବାରୁ ଦୁଇ ଜଣ ମହିଳା ପୁଲିସ ଅଫିସର ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଜଣେ ମହିଳା କନ୍ଷ୍ଟେବଳ ଗଳା ଚିପିବାକୁ ଉଦ୍ୟମ କରୁଥିବା ମଧ୍ୟ ସେ ସଙ୍ଗୀନ ଅଭିଯୋଗ କରିଛନ୍ତି । ନିଜକୁ ବଞ୍ଚାଇବା ସେ ବାଧ୍ୟ ହୋଇ କନଷ୍ଟେବଳଙ୍କ ହାତକୁ କାମୁଡ଼ି ଦେଇଥିଲେ । ପରେ ନିର୍ଯ୍ୟାତନା ଆହୁରି ବଢ଼ିଯାଇଥିଲା । ସେମାନେ ପୀଡ଼ିତାଙ୍କ ହାତ ଗୋଡ଼କୁ ବାନ୍ଧି ହାଜତରେ ପକାଇଦେଇଥିଲେ ।
ସେ ଆହୁରି କହିଛନ୍ତି ଯେ ହାଜତରେ ଥିବା ବେଳେ ଜଣେ ପୁରୁଷ ଅଫିସର ଆସି ତାଙ୍କ ଅନ୍ତବସ୍ତ୍ର ଖୋଲି ଦେଇଥିଲେ । ଏହା ପରେ ମାଡ଼ ମାରିଥିଲେ । ଏହା ସହିତ ସଂପୃକ୍ତ ଅଧିକାରୀ ଅତି ଅଶାଳୀନ ଇଙ୍ଗିତ କରି ଅଶାଳୀନ ଭାଷାରେ କଥା ହୋଇଥିଲେ ବୋଲି ସେ କହିଛନ୍ତି ।