ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଲେବାନନରେ ସକ୍ରିୟ ହିଜବୁଲ୍ଲା ସଦସ୍ୟର ପେଜର ଓ ୱାକି ଟକି ଜରିଆରେ ବିସ୍ଫୋରଣ ପରେ ଉତ୍ତେଜନା ବଢି ଯାଇଛି । ପରିସ୍ଥିତି ଏମିତି ଯେ, ଗାଜାରେ ଯୁଦ୍ଧ ସମୟରେ ଏବେ ଲେବାନନର ପୁରା ଫୋକସ ଇସ୍ରାଏଲ ଉପରେ ରହିଛି । ଏ ପର୍ଯ୍ୟନ୍ତ ଲେବାନନରେ ସକ୍ରିୟ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଛୋଟ ମୋଟ ଆକ୍ରମଣ ହେଉଥିଲା । ମାତ୍ର ଏବେ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆସିଛି । ହିଜବୁଲ୍ଲା ପେଜର ଆକ୍ରମଣର ପ୍ରତିଶୋଧ ନେବା କଥା କହିବା ପରେ ଇସ୍ରାଏଲ ଏବେ ଆହୁରି କଠୋର ହୋଇ ଉଠିଛି । ବର୍ତ୍ତମାନ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ହିଜବୁଲ୍ଲାର ୧୦୦ ରକେଟ୍ ଲଞ୍ଚରକୁ ତାଙ୍କ ସେନା ଧ୍ୱସ୍ତ କରି ଦେଇଛି ।
ଏହି ଲଞ୍ଚର ଜରିଆରେ ପ୍ରାୟ ୧୦୦୦ ରକେଟ୍ ମାଡ କରିଥାନ୍ତା ହିଜବୁଲ୍ଲା । ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ ହିଜବୁଲ୍ଲା ସହ ଜଡିତ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ଅସ୍ତ୍ରଶସ୍ତ୍ର ଡିପୋ ମଧ୍ୟ ନଷ୍ଟ ହୋଇଛି । ଆତଙ୍କୀ ସଂଗଠନର ମୁଖିଆ ହସନ ନସରୁଲ୍ଲା ପ୍ରତିଶୋଧ ନେବାର ଧମକ ଦେବା ପରେ ଇସ୍ରାଏଲ ପକ୍ଷରୁ ହିଜବୁଲ୍ଲା ଉପରେ ଜୋରଦାର ଆକ୍ରମଣ ହୋଇଛି । ନସରୁଲ୍ଲା ପେଜର ଓ ୱାକି ଟକି ଆକ୍ରମଣ ପରେ ପ୍ରଥମ ଥର ସାର୍ବଜନୀନ ଭାଷଣ ଦେଇ କହିଥିଲା ଯେ, ଆମେ ଏହାର ପ୍ରତିଶୋଧ ନେବୁ ଏବଂ ଇସ୍ରାଏଲକୁ ଏହାର ପରିଣାମ ଭୋଗିବାକୁ ପଡିବ । ଉଲ୍ଲେଖନୀୟ ଇସ୍ରାଏଲ ଦ୍ୱାରା ପେଜର ଓ ୱାକି ଟକି ଜରିଆରେ ହୋଇଥିବା ଆକ୍ରମଣରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦୦ ଆହତ ହୋଇଛନ୍ତି ।
ସଂପ୍ରତି ଇସ୍ରାଏଲ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗ୍ୟାଲେଣ୍ଟକହିଛନ୍ତି ଆମେ ଯୁଦ୍ଧର ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛୁ । ଏ ପର୍ଯ୍ୟନ୍ତ ଆମର ଫୋକସ ଗାଜା ଉପରେ ଥିଲା, ମାତ୍ର ଏବେ ଉତ୍ତର ସୀମା ଅର୍ଥାତ ଲେବାନନ ଉପରେ ଆକ୍ରମଣ କରିବୁ । ଅନ୍ୟପଟେ ହିଜବୁଲ୍ଲା ମୁଖ୍ୟ କହିଛନ୍ତି, ଆମେ ସେଠାରେ ବି ଆକ୍ରମଣ କରିବୁ, ଯେଉଁଠୁ ଇସ୍ରାଏଲ ଆକ୍ରମଣର ପ୍ରସ୍ତୁତି କରୁଛି । ସବୁଠୁ ବଡ କଥା ଯେଉଁ ସମୟରେ ହିଜବୁଲ୍ଲାର ମୁଖ୍ୟ ଭାଷଣ ଦେଉଥିଲେ, ସେହି ସମୟରେ ଇସ୍ରାଏଲର ଲଢୁଆ ବିମାନ ବେରୁଟ ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା ।