ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ପରିବାର ଲୋକଙ୍କ ଅଭିଯୋଗ ପରେ ଏବେ ଏହା ଭିନ୍ନ ମୋଡ଼ ନେଇଛି । ତେବେ ଯଦି ତାଙ୍କ ମୃତ୍ୟୁ ପଛରେ ଆଉ କାହାର ସଂପୃକ୍ତି ଥିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ।
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପିସିସସିଏଫ୍ ଦେବୀଦତ୍ତ ବିଶ୍ୱାଳ । ଫରେଷ୍ଟରଙ୍କ ଅପ୍ରାକୃତିକ ମୃତ୍ୟୁ ହୋଇଥିବାବେଳେ ଆତ୍ମହତ୍ୟା ଅଭିଯୋଗରେ ମଧ୍ୟ ତଦନ୍ତ ଚାଲିଥିବା ପିସିସିଏଫ୍ କହିଛନ୍ତି । ଯଦି ଡିଏଫଓ ଦେବେନ୍ଦ୍ର ବେହେରାଙ୍କ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ତେବେ ନିଶ୍ଚିତ ତଦନ୍ତ କରାଯିବ । ଯଦି ଚାରା ଦୁର୍ନୀତି ହୋଇଥିବ, ଆମ ପାଖରେ ଡକ୍ୟୁମେଣ୍ଟ ପ୍ରମାଣ ମଧ୍ୟ ଥିବ । ବନବିଭାଗ ପାଖରେ ସବିଶେଷ ଆକାଉଣ୍ଟ ସିଷ୍ଟମ ରହିଛି, ତେଣୁ ଘଟଣାର ପ୍ରକୃତ ସତ୍ୟାସତ୍ୟ ନିଶ୍ଚୟ ଜଣାପଡ଼ିବ ବୋଲି ସେ କହିଛନ୍ତି । ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଯିଏ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସିଏଫ୍ ପ୍ରତିକ୍ରିୟା ଦେଇଛନ୍ତି ।
ଏଠାରେ କହି ରଖୁଛୁ ଯେ ଫରେଷ୍ଟର ସଞ୍ଜୟ ନାୟକଙ୍କୁ କର୍ମକ୍ଷେତ୍ରରେ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି । ସ୍ୱାମୀଙ୍କୁ ଡିଏଫଓ ଦେବେନ୍ଦ୍ର ବେହେରା ପିସି ମାଗିବା ସହିତ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ସଞ୍ଜୟ ସୁଇସାଇଡ୍ ନୋଟରେ ସବୁ କଥା ଲେଖିଥିବା ତାଙ୍କ ସ୍ତ୍ରୀ କହିଛନ୍ତି । ଏ ନେଇ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ଭବାନୀପାଟଣା ଥାନାରେ ଡିଏଫଓଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।