ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ । ରବିଚନ୍ଦ୍ରନ ଅଶ୍ୱିନଙ୍କ ଶତକ, ରବୀନ୍ଦ୍ର ଜାଡେଜା ଓ ଯଶସ୍ୱୀ ଜୟସ୍ୱାଲଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୩୭୬ ରନ କରିଥିବା ଭାରତ ଭ୍ରମଣକାରୀ ବାଂଲାଦେଶକୁ ବ୍ୟାକଫୁଟରେ ରଖିଛି । ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ବାଂଲାଦେଶ ପ୍ରଥମ ଇନିଂସରେ ୧୪୯ ରନରେ ଅଲଆଉଟ୍ ହୋଇଛି । ଏହା ପରେ ଭାରତ ଦ୍ୱିତୀୟ ଇନିଂସରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୮୧ ରନ କରିଛି । କ୍ରିଜରେ ଶୁଭମନ ଗିଲ୍ ୩୩ ଓ ଋଷଭ ପନ୍ତ ୧୨ ରନ କରି ଅଛନ୍ତି । ଏଥିସହ ଭାରତ ୩୦୮ ରନର ଅଗ୍ରଣୀ ହାସଲ କରିଛି । ମ୍ୟାଚ୍ ଆହୁରି ୩ ଦିନ ବାକି ଥିବା ବେଳେ ଖେଳ ଚାରି ଦିନରେ ଶେଷ ହେବାର ସମ୍ଭାବନା ଦେଖା ଦେଇଛି ।
ଆଜି ଦ୍ୱିତୀୟ ଦିନରେ ଭାରତ ପ୍ରଥମ ସେସନରେ ଶୀଘ୍ର ୱିକେଟ୍ ହରାଇଥିଲା । ଅପରାଜିତ ଜାଡେଜା ୮୬ ରନ କରି ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ । ଏହା ପରେ ଆକାଶ ଦୀପ ୧୭ ରନ କରି ପାଭିଲିୟନ ଫେରିଥିଲେ । ଶତକ ଅର୍ଜନ କରି କ୍ରିଜରେ ଜମିଥିବା ଅଶ୍ୱିନଙ୍କ ଇନିଂସ ୧୧୩ ରନରେ ଅନ୍ତ ଘଟିଥିଲା । ବୁମରା(୭)ଙ୍କ ଆଉଟ୍ ସହ ଭାରତ ପ୍ରଥମ ଇନିଂସରେ ୩୭୬ ରନ କରିଥିଲା । ବୋଲିଂରେ ବାଂଲାଦେଶ ପକ୍ଷରୁ ହସନ ମେହମୁଦ ୮୩ ରନ ଦେଇ ୫ ୱିକେଟ୍ ଅକ୍ତିକାର କରିଥିଲେ । ତସ୍କିନ ଅହମ୍ମଦଙ୍କୁ ୩ ୱିକେଟ୍ ଏବଂ ନାହିଦ ରାଣା ଓ ମେହିଦ ହସନ ମିରାଜଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ଜବାବରେ ବାଂଲାଦେଶ ନିଜର ପ୍ରଥମ ଇନିଂସରେ ଭାରତୀୟ ବେଲାରଙ୍କ ଆଗରେ ତିଷ୍ଠି ପାରି ନ ଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଆଉ ପ୍ରତ୍ୟାବର୍ତ୍ତନ କରି ପାରି ନ ଥିଲା । ଶାକିବ ଅଲ ହସନ ସର୍ବାଧିକ ୩୨ ରନ କରିଥିବା ବେଳେ ମେହିଦ ହସନ ମିରାଜ ୨୭ ରନ, ଅଧିନାୟକ ସାଣ୍ଟୋ ୨୦ ରନ କରିଥିଲେ । ଯଶପ୍ରୀତ ବୁମରା ଘାତକ ବୋଲିଂ ୪ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ । ବାଂଲାଦେଶ ପ୍ରଥମ ଇନିଂସରେ ୧୪୯ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଭାରତକୁ ପ୍ରଥମ ଇନିଂସ ଆଧାରରେ ୨୨୭ ରନ ଅଗ୍ରଣୀ ହାସଲ ମିଳିଥିଲା । ବୁମରାଙ୍କ ବ୍ୟତୀତ ଆକାଶ ଦୀପ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଛି ।
ଏହା ପରେ ଭାରତ ନିଜର ଦ୍ୱିତୀୟ ଇନିଂସରେ ମଧ୍ୟ ଶୀଘ୍ର ୩ ବ୍ୟାଟରଙ୍କୁ ହରାଇଛି । ଅଧିନାୟକ ରୋହିତ ଶର୍ମା(୫) ପୁଣି ନିରାଶ କରିଛନ୍ତି । ଯଶସ୍ୱ ଜୟସ୍ୱାଲ ୧୦ ରନ ଏବଂ ବିରାଟ କୋହଲି ୧୭ ରନ କରି ପାଭିଲିୟନ ଫେରିଛନ୍ତି ଶୁଭମନ ଗିଲ୍ ୩୩ ରନ ଓ ପନ୍ତ ୧୨ ରନ କରି କ୍ରିଜରେ ଖେଳୁଛନ୍ତି ।