ଚେନ୍ନାଇ: ଭାରତର ତାରକା ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଟେଷ୍ଟ କ୍ରିକେଟକୁ ଦମଦାର ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଶନିବାର ଚେନ୍ନାଇରେ ଖେଳା ଯାଉଥିବା ଭାରତ ବନାମ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଛନ୍ତି । ୧୨୮ ବଲରୁ ୧୩ ଚୌକା ଓ ୪ ଛକା ସହ ୧୦୯ ରନ କରିଛନ୍ତି ପନ୍ତ । ଟେଷ୍ଟ କ୍ରିକେଟରେ ଏହା ତାଙ୍କର ଷଷ୍ଠ ଶତକ । ପନ୍ତ ୬୩୮ ଦିନ ପରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ଶତକ ଅର୍ଜନ କରି ଏହାକୁ ଆହୁରି ସ୍ମରଣୀୟ କରିଛନ୍ତି ।
ଏହା ପୂର୍ବରୁ ପନ୍ତ ୨୦୨୨ ଡିସେମ୍ବରରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହା ପରେ ପନ୍ତ ଭୟାନକ କାର ଦୁର୍ଘଟଣାର ଶିକାର ହୋଇ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରରେ ଥିଲେ । ସେ ଚଳିତ ବର୍ଷ ଜୁନ ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତ ନ କରିଥିଲେ । ଏବେ ଟେଷ୍ଟରେ ସୁଯୋଗ ମିଳିବାର ଏହାର ଭରପୁର ଫାଇଦା ଉଠାଇଛନ୍ତି ଏହି ବାମହାତୀ ୱିକେଟ କିପର ବ୍ୟାଟର ।
ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ପନ୍ତ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ । ସେ ୮୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ପରବର୍ତ୍ତୀ ୫୦ ରନ ମାତ୍ର ୩୬ ବଲରୁ ହାସଲ କରିଥିଲେ । ଶାକିବ ଅଲ ହସନଙ୍କ ଦ୍ୱାରା ବୋଲିଂ ହୋଇଥିବା ୫୫ତମ ଓଭରର ଚତୁର୍ଥ ବଲରେ ଦୁଇ ରନ ଦେଇ ଶତକ ପୂରଣ କରିଥିଲେ । ପନ୍ତ ଶତକ ହାସଲ କରିବା ସହ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଭାରତ ପକ୍ଷରୁ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିଥିବା ୱିକେଟ୍ କିପର ତାଲିକାରେ ଯୁଗ୍ମ ଭାବେ ଏମଏସ ଧୋନୀଙ୍କ ସହ ରହିଛନ୍ତି । ଧୋନୀ ମଧ୍ୟ ଟେଷ୍ଟ କ୍ରିକେଟରେ ୬ଟି ଶତକ ହାସଲ କରିଥିଲେ । ପନ୍ତ ୫୮ ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ ଧୋନୀଙ୍କୁ ୧୪୪ ଇନିଂସ ଖେଳିବାକୁ ପଡିଥିଲେ।। ।
ପନ୍ତ କେବଳ ଶତକ ହାସଲ କରି ନାହାନ୍ତି ଯେଉଁ ସମୟରେ ଭାରତ ମୁସ୍କିଲ ସ୍ଥିତିରେ ପଡିଥିଲା, ଶୁଭମନ ଗିଲଙ୍କ ସହ ଚତୁର୍ଥ ୱିକେଟରେ ୧୬୭ ରନ ଯୋଡିଛନ୍ତି । ପନ୍ତ ୧୦୯ ରନ କରି ଆଉଟ୍ ହେବା ପରେ ଏହି ଯୋଡି ଭାଙ୍ଗିଥିଲା । ପନ୍ତ ପାଭିଲିୟନ ଫେରିବା ସମୟରେ ଭାରତ ୪ ୱିକେଟ୍ ହରାଇ ୨୩୪ ରନ କରି ଦୃଢ ସ୍ଥିତିରେ ରହିଛି । ଏହା ପୂର୍ବରୁ ପ୍ରଥମ ଇନିିଂସରେ ପନ୍ତ ୩୯ ରନ କରିଥିଲେ । ପନ୍ତଙ୍କ ବ୍ୟତୀତ ଶୁଭମନ ଗିଲ୍ ମଧ୍ୟ ଶତକ ହାସଲ କରିଛନ୍ତି । ସେ ୧୬୧ ବଲରୁ ଟେଷ୍ଟ କ୍ୟାରିୟରରେ ପଞ୍ଚମ ଶତକ ଅର୍ଜନ କରିଛନ୍ତି ।