ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍କୁ ଆଉ କେଇ ଘଣ୍ଟା ବାକି ରହିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ପର୍ଥରେ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରେ ଆରମ୍ଭ ହେବ। ରୋହିତ ଶର୍ମା ଉପଲବ୍ଧ ନ ଥିବାରୁ ଯଶପ୍ରୀତ ବୁମରା ଦଳର ମଙ୍ଗ ସମ୍ଭାଳିବେ। ରୋହିତ ଶର୍ମା ଆଡିଲେଡ୍ରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଦଳ ସହ ଯୋଗ ଦେବେ। ତେବେ ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ଶାମି ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ସମୟରେ ଦଳକୁ ଫେରିବେ କି ନାହିଁ ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ହେଲେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ଅଧିନାୟକ ଯଶପ୍ରୀତ ବୁମରା ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି।
ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁମରାଙ୍କୁ ଶାମିଙ୍କ ଫିଟନେସ୍ ଉପରେ ପ୍ରଶ୍ନ ହୋଇଥିଲା। ଉତ୍ତରରେ ବୁମରା କହିଛନ୍ତି, ଶାମି ଭାଇ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି। ସେ ଦଳର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ମୋତେ ପୂର୍ଣ୍ଣ ବିଶ୍ଵାସ ଦଳ ପ୍ରବନ୍ଧକ ତାଙ୍କ ଉପରେ ନଜର ରଖିଛନ୍ତି। ଆଶା କରୁଛି ସବୁ ଠିକ୍ ଠାକ୍ ହେଲେ ଆପଣ ତାଙ୍କୁ ଅଷ୍ଟ୍ରେଲିଆରେ ଦେଖିବାକୁ ପାଇବେ।
କିଛି ମିଡ଼ିଆରେ ପ୍ରକାଶିତ ଖବର ପାଇଥିଲା ଯେ, ଅଧିନାୟକ ରୋହିତ ଶର୍ମାଙ୍କ ସହ ମହମ୍ମଦ ଶାମି ଅଷ୍ଟ୍ରେଲିଆ ଅଭିମୁଖେ ଉଡ଼ାଣ ଭରିବେ ଓ ଆଡିଲେଡ୍ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ସହ ଯୋଗ ଦେବେ।ପ୍ରଥମ ଟେଷ୍ଟ ଆସନ୍ତାକାଲି ପର୍ଥରେ ଖେଳାଯିବ ଓ ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆରମ୍ଭ ହେବ। ପ୍ରଥମ ଓ ଦ୍ଵିତୀୟ ଟେଷ୍ଟ ମଧ୍ୟରେ ଲମ୍ବା ବ୍ରେକ ରହିଛି। ତେଣୁ ଏହି ସମୟରେ ଉଭୟ ଦଳ ସହ ଯୋଗ ଦେଇ ପାରନ୍ତି। ଆଡିଲେଡ୍ରେ ଖେଳା ଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ଦିବାରାତ୍ର ଖେଳାଯିବ।