ପର୍ଥ: ଯଶପ୍ରୀତ ବୁମରା ପର୍ଥରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୬୭ ରନ କରିଛି । ଏଥିରୁ ବୁମରା ୪ ୱିକେଟ୍ ନିଜ ନାମରେ କରିଛନ୍ତି । ଏହି ସଫଳତା ସହ ବୁମରା ଏମିତି ଏକ ରେକର୍ଡ କରିଛନ୍ତି, ଯାହା ଏହା ପୂର୍ବରୁ କେବଳ ଜଣେ ବୋଲର ହାସଲ କରିଥିଲେ ।
ଅଷ୍ଟ୍ରେଲିଆର ବରିଷ୍ଠ ବ୍ୟାଟର ଷ୍ଟିଭ ସ୍ମିଥଙ୍କୁ ବୁମରା ଗଲଡେନ୍ ଡକର ଶିକାର କରିଛନ୍ତି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ଦ୍ରୁତ ବୋଲର ଡେଲ ଷ୍ଟେନ ଷ୍ଟିଭ ସ୍ମିଥଙ୍କୁ ଟେଷ୍ଟ ମ୍ୟାଚରେ ଗୋଲଡେନ ଡକର ଶିକାର କରିଥିଲେ । ଏବେ ବୁମରାଙ୍କ ନାଁ ଏହି ତାଲିକାରେ ସାମିଲ ହୋଇ ଯାଇଛି । କିନ୍ତୁ ସବୁଠୁ ବଡ କଥା ସ୍ମିଥ ଘରୋଇ ମଇଦାନରେ ପ୍ରଥମ ଥର ପ୍ରଥମ ବଲରେ ହିଁ ଆଉଟ୍ ହୋଇଛନ୍ତି । ଉଭୟ ବୁମରା ଓ ଡେଲ ଷ୍ଟେନ ସ୍ମିଥଙ୍କୁ ଏଲବିଡବ୍ଲ୍ୟୁ ଜରିଆରେ ପାଭିଲିୟନ ପଠାଇଥିଲେ ।
ବିଶେଷ କରି ଯଶପ୍ରୀତ ବୁମରା ଶାଣିତ ବୋଲିଂ କରି ଆୟୋଜକ ଦଳକୁ ବ୍ୟାକଫୁଟରେ ରଖିଛନ୍ତି । ପଦାର୍ପଣ ଟେଷ୍ଟ ଖେଳିଥିବା ନାଥନ ମାକସ୍ୱିନି(୧୦) ବୁମରାଙ୍କ ପ୍ରଥମ ଶିକାର ହୋଇଥିଲେ । ଉସ୍ମାନ ଖ୍ୱାଜା(୮) ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ସପ୍ତମ ଓଭରର ଚତୁର୍ଥ ବଲରେ ଉସ୍ମାନ ଓ ପଞ୍ଚମ ବଲରେ ଷ୍ଟିଭ ସ୍ମିଥ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ ।
ଆଜିଠୁ ପର୍ଥରେ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ୧୭ ୱିକେଟର ପତନ ଘଟିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆ ୭ ୱିକେଟ୍ ୬୭ ରନ କରିଛି । ଭାରତ ୮୩ ରନରେ ଆଗୁଆ ରହିଛି । ବୁମରା ଘାତକ ବୋଲିଂ କରି ମାତ୍ର ୧୭ ରନ ଦେଇ ୪ ସଫଳତା ହାସଲ କରିଛନ୍ତି । ଏହି ସମୟରେ ସେ ଉସ୍ମାନ ଖ୍ୱାଜା, ଷ୍ଟିଭ ସ୍ମିଥ, ନାଥନ ମ୍ୟାକସ୍ୱିନି ଓ ଅଧିନାୟକ ପାଟ୍ କମିନ୍ସଙ୍କୁ ନିଜର ଶିକାର କରିଛନ୍ତି ।