ପର୍ଥ: ବ୍ୟାଟର ବିଫଳ ହୋଇଥିଲେ ହେଁ ଯଶପ୍ରୀତ ବୁମରାଙ୍କ ନେତୃତ୍ୱାଧୀନ ବୋଲିଂ ବାହିନୀ ଭାରତୀୟ ଦଳକୁ ପର୍ଥ ଟେଷ୍ଟରେ ଆଗରେ ରଖିଛି । ଆଜିଠୁ ପର୍ଥରେ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ୧୭ ୱିକେଟର ପତନ ଘଟିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆ ୭ ୱିକେଟ୍ ୬୭ ରନ କରିଛି । ଭାରତ ୮୩ ରନରେ ଆଗୁଆ ରହିଛି । ଆଲେକ୍ସ କେରି ୧୯ ରନ ଓ ମିଚେଲ୍ ଷ୍ଟାର୍କ ୬ ରନ କରି କ୍ରିଜରେ ଅପରାଜିତ ଅଛନ୍ତି ।
ପ୍ରଥମ ଇନିଂସରେ ଭାରତର ୧୫୦ ରନ ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା କଙ୍ଗାରୁ ଦଳ ପାଖରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂର କୌଣସି ଜବାବ ନ ଥିଲା । ବିଶେଷ କରି ଯଶପ୍ରୀତ ବୁମରା ଶାଣିତ ବୋଲିଂ କରି ଆୟୋଜକ ଦଳକୁ ବ୍ୟାକଫୁଟରେ ରଖିଛନ୍ତି । ପଦାର୍ପଣ ଟେଷ୍ଟ ଖେଳିଥିବା ନାଥନ ମାକସ୍ୱିନି(୧୦) ବୁମରାଙ୍କ ପ୍ରଥମ ଶିକାର ହୋଇଥିଲେ । ଉସ୍ମାନ ଖ୍ୱାଜା(୮) ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ସପ୍ତମ ଓଭରର ଚତୁର୍ଥ ବଲରେ ଉସ୍ମାନ ଓ ପଞ୍ଚମ ବଲରେ ଷ୍ଟିଭ ସ୍ମିଥ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ । ଟ୍ରେଭିସ ହେଡ(୧୧)ଙ୍କୁ ଆଉଟ୍ କରି ହର୍ଷିତ ରାଣା ପ୍ରଥମ ଟେଷ୍ଟ ୱିକେଟ ନେଇଥିଲେ ।
ମିଚେଲ୍ ମାର୍ଶ(୬)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ । କ୍ରିଜରେ ଜମିଥିବା ମାର୍ନସ ଲାବୁସେନ ୫୨ ବଲ ଖେଳିଥିଲେ ହେଁ ୧ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ପାଟ୍ କମିନ୍ସ(୩)ଙ୍କୁ ପାଭିଲିୟନ ଫେରାଇ ଥିଲେ ଯଶପ୍ରୀତ ବୁମରା । ଏହିପରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା କଙ୍ଗାରୁ ୭ ୱିକେଟ ହରାଇ ୬୭ ରନ କରିଛି ।
ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୧୭ ରନ ଦେଇ ୪ ସଫଳତା ହାସଲ କରିଛନ୍ତି । ମହମ୍ମଦ ସିରାଜ ୨ ଓ ହର୍ଷିତ ରାଣା ଗୋଟିଏ ୱିକେଟ ନେଇଥିଲେ ।
ଭାରତର ଇନିଂସ
ଆଜି ଭାରତ ପକ୍ଷରୁ ଟେଷ୍ଟରେ ନୀତିଶ ରେଡ୍ଡୀ ଓ ହର୍ଷିତ ରାଣା ପଦାର୍ପଣ କରିଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ସାହସିକ ନିଷ୍ପତ୍ତି ନେଇଥିଲେ । ତେବେ ତାଙ୍କର ନିଷ୍ପତ୍ତିକୁ ବ୍ୟାଟରମାନେ ସଠିକ୍ ସାବ୍ୟସ୍ତ କରି ପାରନ୍ତି । ଦଳ ୫ ରନ ସ୍କୋରରେ ଯଶସ୍ୱୀ ଜୟସ୍ୱାଲଙ୍କ ୱିକେଟ୍ ହରାଇଥିଲା । ଯଶସ୍ୱୀ ଖାତା ବି ଖୋଲି ପାରି ନ ଥିଲେ । ଦେବଦତ୍ତ ପାଡିକଲ୍ ବି ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ । ଦଳର ସବୁଠୁ ଅଭିଜ୍ଞ ଖେଳାଳି ବିରାଟ କୋହଲି ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ । ଓପନିଂ କରିଥିବା କେଏଲ ରାହୁଲ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । କିନ୍ତୁ ବିବାଦୀୟ ଢଙ୍ଗରେ ୨୭ ରନ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲ(୧୧ ରନ) ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ । ଏହିପରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୫୯ ରନରେ ୫ ୱିକେଟ୍ ହରାଇଥିଲା ।
ଅନ୍ୟପଟେ ଋଷଭ ପନ୍ତ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ । ଅନ୍ୟପଟେ ୱାଶିଂଟନ ସୁନ୍ଦର(୪ ରନ)କ୍ରିଜରେ ତିଷ୍ଠି ପାରି ନ ଥିଲେ । ଏହା ପରେ ପଦାର୍ପଣ ଟେଷ୍ଟ ଖେଳୁଥିବା ନୀତିଶ ରେଡ୍ଡୀ ପନ୍ତଙ୍କୁ ଭଲ ସହଯୋଗ ଦେଇଥିଲେ । ନୀତିଶ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଦ୍ରୁତ ରନ ସଂଗ୍ରହ କରିଥିଲେ । ପନ୍ତ ଓ ନୀତିଶ ଷଷ୍ଠ ୱିକେଟ୍ ପାଇଁ ୪୮ ରନ ଯୋଡି ଦଳ ପାଇଁ କିଶି ଆଶା ସଞ୍ଚା କରିଥିଲେ । ତେବେ ପନ୍ତ ୩୭ ରନ କରି ଆଉଟ୍ ହୋଇଥିଲେ । ନିମ୍ନ କ୍ରମରେ ହର୍ଷିତ ରାଣା ୭ ରନ ଓ ଅଧିନାୟକ ଯଶପ୍ରୀତ ବୁମରା ୮ ରନ କରି ଆଉଟ୍ ହୋଇଥିଲେ । ନୀତିଶ ରେଡ୍ଡୀ ଦଶମ ବ୍ୟାଟର ଭାବେ ପାଭିଲିୟନ ଫେରିଥିଲେ । କିନ୍ତୁ ସେ ୪୧ ରନର ପ୍ରଭାବଶାଳୀ ରନ କରିଥିଲେ । ଏହିପରି ଭାରତ ୧୫୦ ରନରେ ଅଲଆଉଟ୍ ହୋଇଛି ।
କଙ୍ଗାରୁ ଦଳ ପକ୍ଷରୁ ଜୋସ୍ ହେଜେଲଉଡ ଘାତକ ବୋଲିଂ କରି ମାତ୍ର ୨୯ ରନ ଦେଇ ୪ ସଫଳତା ହାସଲ କରିଥିଲେ । ମିଚେଲ୍ ଷ୍ଟାର୍କ ୧୪ ରନ ଦେଇ ୨, କମିନ୍ସ ୬୭ ରନରେ ୨ ଓ ମିଚେଲ୍ ମାର୍ଶ ୧୨ ରନ ଦେଇ ୨ ୱିକେଟ୍ ନେଇଛନ୍ତି ।