ନୂଆଦିଲ୍ଲୀ: ସକାଳ ହେଲେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରୋହିତ ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଦଳର ନେତୃତ୍ୱ ନେବେ । ତେବେ ଏହା ମଧ୍ୟରେ ଭାରତୀୟ ଦଳ ପାଇଁ ଖୁସି ଖବର ଆସି ପହଞ୍ଚିଛି । ପର୍ଥ ଟେଷ୍ଟର ତୃତୀୟ ଦିନ ଅର୍ଥାତ ନଭେମ୍ବର ୨୪ ତାରିଖରେ ରୋହିତ ଶର୍ମା ଭାରତୀୟ ଦଳରେ ଯୋଗ ଦେବେ । ସେ ପ୍ରଥମ ଟେଷ୍ଟ ଖେଳି ପାରି ନ ଥିଲେ ବି ତାଙ୍କ ଉପସ୍ଥିତ ଡ୍ରେସିଂ ରୁମରେ ନିଶ୍ଚିତ ରୂପେ ଦଳର ମନୋବଳକୁ ବୃଦ୍ଧି ରଖିବ ।
ରୋହିତ ଶର୍ମା ନିଜର ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ପତ୍ନୀ ଓ ପରିବାର ସହ ରହିବାକୁ ଚାହୁଁଥିଲେ । ତେଣୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପରେ ବିରତି ନେଇଥିଲେ । ଏଥିସହ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରି ନ ଥିଲେ । ଆଉ ରୋହିତ ଶର୍ମାଙ୍କ ପତ୍ନୀଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି । ରୋହିତ ମଧ୍ୟ ନିଜ ପରିବାର ସହ ସମୟ ବିତାଇଛନ୍ତି । ଏବେ ସେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଉ ନଭେମ୍ବର ୨୪ ତାରିଖ ରବିବାର ଦିନ ପର୍ଥରେ ଭାରତୀୟ ଦଳ ସହ ରୋହିତ ଶର୍ମା ଯୋଗ ଦେବେ ।
ଅନ୍ୟପଟେ ରୋହିତ ପ୍ରଥମ ଟେଷ୍ଟ ଖେଳୁ ନ ଥିବାରୁ ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ଓପନିଂ କରି ପାରନ୍ତି । ଏଥି ସହିତ ଶୁଭମନ ଗିଲ୍ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଭ୍ୟାସ୍ ସମୟରେ ଗିଲ୍ଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। କ୍ରିକବଜର ସୂଚନା ଅନୁଯାୟୀ, ରୋହିତ ଶର୍ମା ରବିବାର ଭାରତୀୟ ଦଳ ସହ ଯୋଗ ଦେବ ବୋଲି ବିସିସିଆଇକୁ ସୂଚିତ କରାଇ ଦେଇଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ପ୍ରଥମ ଟେଷ୍ଟରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ।