ଭୁୁବନେଶ୍ୱର: ବଢିଲା ତିନି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । ଚଳିତ ମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି ।
ଗୁରୁବାର ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳକୁ ଛଅ ମାସ ଯାଏଁ ରାଜ୍ୟପାଳ ବୃଦ୍ଧି କରିଛନ୍ତି । ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ କୁଳପତିମାନେ କୁଳାଧିପତିଙ୍କ ବିନା ଅନୁମତିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ସୂଚନା ଅନୁଯାୟୀ, ନୂଆ କୁଳପତିଙ୍କ ନିଯୁକ୍ତିରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଳମ୍ବ କରୁଥିବା ନେଇ ରାଜଭବନ ଗତ ସପ୍ତାହରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ୩ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ନିମନ୍ତେ ଅଦ୍ୟାବଧି ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି କରି ନ ଥିବାରୁ ରାଜ୍ୟପାଳ ରଘୁବର ଦାସ ଆଜି ସମ୍ପୃକ୍ତ କୁଳପତିମାନଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ନଭେମ୍ବର ୨୩ରେ ସରୁଛି । ସେହିପରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗରାଜୁଙ୍କର ନଭେମ୍ବର ୨୬ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ତାରିଖରେ ଶେଷ ହେଉଛି ।