ଭୁବନେଶ୍ୱର : ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ। ଶୁକ୍ରବାର ସକାଳ ୮ଟାରେ ବୈକୁଣ୍ଠଧାମ ଆଶ୍ରମକୁ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ବିଡିଏ, ବିଏମ୍ସି ଏବଂ କମିଶନରେଟ ପୋଲିସ ଉପସ୍ଥିତିରେ ଆଶ୍ରମ ଭଙ୍ଗାଯିବ। ୧୪୦ ଡେସିମିଲ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ରହିଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ଭରତପୁର ଥାନା ଅଧୀନ ଖଣ୍ଡଗିରିବାରି ଅଞ୍ଚଳରେ ଥିବା ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍କି ଅବତାର କହି ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହା ଭିନ୍ନମୋଡ଼ ନେବାରେ ଲାଗିଛି। କୁହାଯାଉଅଛି କି ନାବାଳକୁ ବାବା ସଜେଇ ଲୋକଙ୍କୁ ଭଣ୍ଡେଇ ଟଙ୍କା ଲୁଟୁଛନ୍ତି ନାବାଳକର ବାପା ମାଆ। ଅପରପକ୍ଷେ ଆଶ୍ରମ ଗଢ଼ି ଉଠିଥିବା ସ୍ଥାନ ସରକାରୀ ଜମି ବୋଲି ଅଭିଯୋଗ ଆସିବା ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ତହସିଲ ପକ୍ଷରୁ ମିଳିତ ଭାବେ ଆଶ୍ରମର ଜମି ମାପଚୁପ କରାଯାଇଥିଲା। ୮ଜଣିଆ ଟିମ୍ ଏହାର ଦାୟିତ୍ୱ ନେଇଥିଲେ। ଏହାପରେ ଏହାକୁ ଭଙ୍ଗା ଯିବାକୁ ନିଷ୍ପତ୍ତି ନିଅଯାଇଛି।