ଭୁବନେଶ୍ୱର :‘ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଖୁସି ଖବର । ବାଦ୍ ପଡିବେନି ଜଣେ ବି ହିତାଧିକାରୀ । ଆଜି ପାଖାପାଖି ୨୦ ଲକ୍ଷ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ।
ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ବାଣ୍ଟିବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ୨ ଲକ୍ଷ ୬୭ ହଜାର ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ତାଲିକା ବ୍ଳକରେ ପହଞ୍ଚିଛି। ବ୍ଳକରେ ଏ ନେଇ ସମୀକ୍ଷା ସରିଛି। ପ୍ରାୟ ୨୨ ପ୍ରତିଶତ ସଂଶୋଧନ ହୋଇଯାଇଛି । ବାକି ଜମି ସମସ୍ୟା ଯୋଗୁଁ ଯେଉଁମାନଙ୍କ ନାମ ତାଲିକାରେ ନାହିଁ, ତାଙ୍କ ନାଁରେ ଜମି ନାହିଁ । କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ସରଜମିନ ଯାଞ୍ଚ୍ କରାଯିବ । ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ। ଏହି ସବୁ ସଂଶୋଧନ ହେବା ପରେ ସେମାନେ ସାମିଲ ହୋଇପାରିବେ। ଏହାର ସମାଧାନ ହେବା ପରେ ବାଦ୍ ତାଲିକାରେ ଥିବା ଆଉ ୫ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାମାନେ ଡିସେମ୍ବରରେ ଅର୍ଥ ରାଶି ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ ।
ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସରକାରୀ ଅଧିକାରୀ ଘରକୁ ଘର ଯିବେ। ଗତ ସେପ୍ଟେମ୍ବର ୧୭ ତାରିଖରେ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର ।