ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ କି ବାତ’ କାର୍ଯ୍ୟକ୍ରମର ୧୧୬ ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ରାଷ୍ଟ୍ରୀୟ କ୍ୟାଡେଟ୍ କୋର(ଏନସିସି) ଦିବସର ଶୁଭକାମନା ଜଣାଇଛନ୍ତି । ଏହା ପରେ ନିଜ ସମ୍ବୋଧନରେ ମୋଦୀ କହିଛନ୍ତି, ଆଜି ଏକ ଖାସ ଦିନ । ଆଜି ଏନସିସି ଦିବସ । ଏନସିସିର ନାମ ଆସିବା ମାତ୍ରେ ଆମକୁ ସ୍କୁଲ-କଲେଜ କଥା ମନେ ପଡିଯାଏ । ମୁଁ ନିଜେ ଏନସିସି କ୍ୟାଡେଟର । ଏଥିପାଇଁ ପୁରା ବିଶ୍ୱାସର ସହ କହି ପାରିବି ଯେ, ଏଥିରୁ ମିଳିଥିବା ଅନୁଭବ ମୋ ପାଇଁ ଅମୂଲ୍ୟ ଅଟେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରୁ ହଜାର ହଜାର କିଲୋମିଟର ଦୂରରେ ଅବସ୍ଥିତ ଗୁଏନାରେ ମଧ୍ୟ ମିନି ଇଣ୍ଡିଆ ରହିଛି । ୧୮୦ ବର୍ଷ ପୂର୍ବେ ଭାରତର ଲୋକଙ୍କୁ ଖେତରେ କାମ କରାଇବା ଓ ଅନ୍ୟ କାମ ପାଇଁ ଗୁଏନା ନିଆଯାଉଥିଲା । ଆଜି ସେଠାରେ ରହୁଥିବା ଭାରତୀୟ ମୂଳ ନିବାସୀ ରାଜନୀତି, ବ୍ୟବସାୟ, ଶିକ୍ଷା ଓ ସଂସ୍କୃତିର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି । ଗୁଏନାର ରାଷ୍ଟ୍ରପତି ଡ ଇରଫାନ ଅଲ୍ଲୀ ମଧ୍ୟ ଭାରତୀୟ ବଂଶୋଦ୍ଭବ ଏବଏଂ ନିଜର ଭାରତୀୟ ପିଢି ପାଇଁ ଗର୍ବିତ ।
ପିଏମ ମୋଦୀ ନିଜ ସମ୍ବୋଧନରେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଲାଲକିଲ୍ଲା ପ୍ରାଚୀରରୁ ଯୁବ ବର୍ଗଙ୍କୁ ରାଜନୀତିରେ ଆସିବାକୁ ଆହ୍ୱାନ କରିଛି । ବିଶେଷ କରି ଯାହାଙ୍କ ପୂରା ପରିବାରର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବ ସେମିତି ଯୁବକମାନଙ୍କୁ ରାଜନୀତିକୁ ଆସିବାକୁ ଅପିଲ୍ କରିଛି । ଏମିତିରେ ଏକ ଲକ୍ଷ ଯୁବକଙ୍କୁ ରାଜନୀତିରେ ଯୋଡିବା ପାଇଁ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚଲାଯିବ । ବିକଶିତ ଭାରତ ଯୁବ ନେତା ଆଲୋଚନା ଏକ ପ୍ରୟାସ । ଆସନ୍ତାବର୍ଷ ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ । ଏଥର ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବ ।