ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଆମ ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ ସାରା ବିଶ୍ୱର ନଜର ରହିଛି। ଇଭିଏମ୍ ଯୋଗୁଁ ଆମ ଦେଶରେ ଯେଭଳି ବେଗରେ ମତଦାନ ଓ ଗଣତି ହେଉଛି ତାହା ଦେଖି ବିକଶିତ ଦେଶମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ନିର୍ବାଚନ ଫଳାଫଳ ଆସିବାକୁ ଅନେକ ଦିନ ଲାଗିଥିଲା। କାଲିଫର୍ଣ୍ଣିଆରେ ଏବେ ବି ଭୋଟ୍ ଗଣତି ଚାଲିଛି।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା ମାଲିକ ଏଲନ୍ ମସ୍କ ଭାରତର ନିର୍ବାଚନ ପ୍ରକ୍ରିୟା ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଭାରତର ଲୋକସଭା ନିର୍ବାଚନ ସହ ତୁଳନା କରି କହିଛନ୍ତି ଯେ ଭାରତ ଗୋଟିଏ ଦିନରେ ୬୪୦ ନିୟୁତ ବା ୬୪ କୋଟି ଭୋଟ୍ ଗଣନା କରିଛି, କିନ୍ତୁ ଆମେରିକାର କାଲିଫର୍ଣ୍ଣିଆରେ ଭୋଟ ଗଣତି ଜାରି ରହିଛି।
ସୂଚନାଯୋଗ୍ୟ, ଆମେରିକାରେ ନଭେମ୍ବର ୫-୬ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରେ ତୁରନ୍ତ ଭୋଟ ଗଣତି ଆରମ୍ଭ ହୋଇଥିଲେ ମଧ୍ୟ କାଲିଫର୍ଣ୍ଣିଆରେ ଭୋଟ ଗଣତି ଜାରି ରହିଛି। ସୂଚନାଯୋଗ୍ୟ, ଆମେରିକାରେ ବ୍ୟାଲଟ୍ ପେପର ଜରିଆରେ ମତଦାନ ହୋଇଥାଏ।
ତେବେ କିଛି ଦିନ ତଳେ ଇଭିଏମ୍ କୁ ନେଇ ଏଲନ୍ ମସ୍କ ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି ଯେ ଆମେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କୁ ଉଚ୍ଛେଦ କରିବା ଉଚିତ୍। ମଣିଷ କିମ୍ବା ଏଆଇ ଦ୍ୱାରା ଏହା ହ୍ୟାକ୍ ହେବାର ଆଶଙ୍କା କମ୍, କିନ୍ତୁ ଏହାର ସମ୍ଭାବନା ବହୁତ ଅଧିକ।