ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ବିଜେପି ନେତୃତ୍ଵାଧୀନ ମହାୟୁତି ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ଯାଉଛି। ବିଜେପି, ଶିବସେନା(ଏକନାଥ) ଓ ଏନସିପି(ଅଜିତ ପାଓ୍ଵାର)ଙ୍କ ନେତୃତ୍ଵାଧୀନ ମେଣ୍ଟ ଆଗରେ ଧରାଶାୟୀ ହୋଇଛି ମହାବିକାଶ ଅଘାଡ଼ି। ଫଳାଫଳକୁ ଅପ୍ରତ୍ୟାଶିତ ଦର୍ଶାଇଛନ୍ତି ଉଦ୍ଧବ ଠାକରେ। ସେ କହିଛନ୍ତି, ମହାୟୁତିର ପ୍ରଦର୍ଶନ ଲହର ନୁହେଁ ସୁନାମୀ ଥିଲା। ଲେକସଭା ନିର୍ବାଚନର ୪ ମାସରେ କେମିତି ପରିସ୍ଥିତି ଏତେ ବଦଳି ଗଲା।
ଉଦ୍ଧବ କହିଛନ୍ତି, ମହାୟୁତି ମେଣ୍ଟ ଏମିତି କଣ କଲା ଯେ, ସେମାନଙ୍କୁ ଏତେ ଭୋଟ୍ ମିଳିଲା। ଆଉ ଚାରି ମାସରେ ଚିତ୍ର ପୁରା ବଦଳିଗଲା। ତଥାପି ଆମେ ମହାରାଷ୍ଟ୍ରର ଅଧିକାର ପାଇଁ ଲଢେଇ ଜାରି ରଖିବୁ। ମହାୟୁତିର ବମ୍ପର ପ୍ରଦର୍ଶନ ଏହା ଦେଖାଉଛି ଯେ ଏହା ଲହର ନୁହେଁ ବରଂ ସୁନାମୀ ଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପରିଣାମ ସଂପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ଓ ବୁଝିବା ବାହାରେ ରହିଛି।
ଉଦ୍ଧବ ଏହା ମଧ୍ୟ କହିଛନ୍ତି, ମୁଁ ବୁଝି ପାରୁନି ସେମାନେ ଜନାଦେଶ ହାସଲ ପାଇଁ କଣ କରିଛନ୍ତି ? ବିଜେପିର ବଟେଙ୍ଗେ ତ କଟେଙ୍ଗେ ନାରା ଉପରେ ଉଦ୍ଧବ କହିଛନ୍ତି, ଉକ୍ତ ନାରା କିଛି କାମ କରି ନାହିଁ। ବେରୋଜଗାରୀ, ଦରବୃଦ୍ଧି ପରି ପ୍ରସଙ୍ଗ ସେକ୍ୟୁଲର। ଏଥିରେ ଯେ କେହି ପ୍ରଭାବିତ ହୋଇଥାନ୍ତି। ଏଥିପାଇଁ ନାରା କାମ ଦେଇ ନ ଥିବା ଉଦ୍ଧବ କହିଛନ୍ତି।
ସୂଚନାଯୋଗ୍ୟ, ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରି ୨୩୫ ସିଟ୍ ଜିତିଛି। ବିରୋଧୀ ମହାବିକାଶ ଅଘାଡ଼ି ମାତ୍ର ୪୯ ସିଟରେ ସୀମିତ ରହିଛି।