ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୪ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ-୨୦୨୪’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପର୍ବରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା। ଓଡ଼ିଶାର ଲୋକମାନେ ପୃଥିବୀ ତଥା ଭାରତର ଯେଉଁ ସ୍ଥାନରେ ରହନ୍ତି, ସେମାନେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ସ୍ଥାନୀୟ ଜନଜବୀନ ସହିତ ନିଜକୁ ମିଶାଇ ଦେଇଥାନ୍ତି। ଓଡ଼ିଶା ସହ ଦିଲ୍ଲୀବାସୀଙ୍କୁ ପରିଚିତ କରିବାରେ ଏହି ଉତ୍ସବର ବିଶେଷ ଭୂମିକା ରହିଛି। ଭାରତର ଇତିହାସ ଓ ଭୂଗୋଳରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ତଥା ଓଡ଼ିଶା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସାଧବପୁଅମାନେ ନୌବାଣିଜ୍ୟ ପାଇଁ ଜାଭା, ସୁମତ୍ରା, ବାଲି, ଇଣ୍ଡୋନେସିଆ, ପ୍ରଭୃତି ଦେଶକୁ ଯାଉଥିଲେ। ସେମାନେ ଯେଉଁଠିକି ଯାଇଥିଲେ ସେଠାରେ ଓଡ଼ିଶା ଅସ୍ମିତା ଦେଖିବାକୁ ମିଳୁଛି। ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ତାଙ୍କୁ କେନ୍ଦ୍ର କରି ଓଡ଼ିଆ ଭାଷା, ସାହିତ୍ୟ, ଐତିହ୍ୟ ଓ ପରମ୍ପରା ବିକଶିତ କରାଯାଉଛି। ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। କିନ୍ତୁ ଦୁଃଖର କଥା ପୂର୍ବ ସରକାରଙ୍କ ସମୟରେ ଜଗନ୍ନାଥଙ୍କ ନାମକୁ ବ୍ୟବସାୟୀକରଣ କରି ଭୋଟ ପାଇଁ ବ୍ୟବହାର କରାଗଲା। ନିକଟ ଅତୀତରେ ଜନସାଧାରଣ ଏହାର ଜବାବ ଦେଇସାରିଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବିଶ୍ବ ସ୍ତରରେ ଓଡ଼ିଆମାନେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରୁଛନ୍ତି। ଓଡ଼ିଆଙ୍କ ଆଧିପତ୍ୟ ବୃଦ୍ଧି ପାଉଛି, ଯାହା ଦ୍ବାରା ଓଡ଼ିଆତ୍ବ ଧୀରେ ଧୀରେ ଜାଗ୍ରତ ହେଉଛି। ଓଡ଼ିଆ କଳା ଓ ସଂସ୍କୃତିର ପ୍ରଚାର, ସୁରକ୍ଷା ପାଇଁ ଆୟୋଜିତ ‘ଓଡ଼ିଶା ପର୍ବ’ ଦିଲ୍ଲୀରେ ଓଡ଼ିଶାର ଭାବାବେଗକୁ ପ୍ରତିଫଳିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ। ଏହି କାର୍ଯ୍ୟକ୍ରମ ଓଡ଼ିଆଙ୍କ ସମୃଦ୍ଧ ଓ ସ୍ବତନ୍ତ୍ର ପରିଚୟକୁ ବିଶ୍ବବିଦିତ କରାଇବାରେ ବଡ଼ ଭୂମିକା ଗ୍ରହଣ କରିବ।
ଓଡ଼ିଶା ପର୍ବ ହେଉଛି ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ସେମାନେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମୂଲ୍ୟବାନ ସମର୍ଥନ ପ୍ରଦାନ କରିବାରେ ନିୟୋଜିତ ହୋଇଛନ୍ତି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଓଡ଼ିଶା ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନଶୈଳୀକୁ ପ୍ରଦର୍ଶିତ କରିବ। ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞ ଏବଂ ବିଶିଷ୍ଟ ପେସାଦାରଙ୍କ ଦ୍ୱାରା ଏକ ଜାତୀୟ ସେମିନାର ବା ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଅପ୍ରତ୍ୟାଶିତ