ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ସୁନାମୀ ଦେଖିବାକୁ ମିଳିଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ରାଜ୍ୟର ମୋଟ୍ ୨୮୮ ବିଧାନସଭାରୁ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ୨୧୮ ସିଟରେ ଆଗୁଆ ରହିଥିବା ବେଳେ ବିରୋଧୀ ମହା ବିକାଶ ଅଘାଡି ମାତ୍ର ୫୬ ସିଟରେ ସୀମିତ ରହୁଥିବା ଦେଖିବାକୁ ମିଳିଛି । ନିର୍ବାଚନର ଆଗୁଆ ଫଳାଫଳ ସ୍ପଷ୍ଟ କରି ଦେଇଛି ଯେ, ରାଜ୍ୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଦଳର ନେରେଟିଭ୍ କାମ ଦେଇ ନାହିଁ । ସେହି ନେରେଟିଭ ବଳରେ ଛଅ ମାସ ପୂର୍ବେ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୩୮ ଆସନରୁ ୩୦ ଆସନ ଜିତିଥିଲା । ଅର୍ଥାତ ଛଅ ମାସ ଭିତରେ ରାହୁଲ ଗାନ୍ଧୀଙ୍କ ସମସ୍ତ ଗୋଟି ଚାଳନା ଫେଲ୍ ମାରିଛି ।
ଋାହୁଲ ଗାନ୍ଧୀ ନିଜର ସମସ୍ତ ନିର୍ବାଚନୀ ସଭାରେ ସମ୍ବିଧାନର କଥା ଉଠାଉଥିଲେ । ସେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଆଗକୁ ବଢାଇବା କଥା କହୁଥିଲେ ଏବଂ ଜାତିଗତ ଜନଗଣନା ଉପରେ ଜୋର ଦେଉଥିଲେ । ସେ ଯୁକ୍ତି ବାଢୁଥିଲେ ଯେ, ଯାହାଙ୍କ ସଂଖ୍ୟା ଅଧିକ ସେମାନଙ୍କୁ ସେହି ହିସାବରେ ଭାଗିଦାରୀ ମିଳିବା ଉଚିତ୍ । ଏଥିପାଇଁ ଜାତିଗତ ଜନଗଣନା କରାଇ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବା ଉଚିତ୍ ବୋଲି ରାହୁଲ କହିଥିଲେ । ସେ ଏହି କାର୍ଡ ସାହାରାରେ ଦଳିତ, ଆଦିବାସୀ, ଓବିସି ବର୍ଗଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରିଥିଲେ ।
ମହାରାଷ୍ଟ୍ରରେ ଦଳିତ ଜନସଂଖ୍ୟା ପ୍ରାୟ ୧୨ ପ୍ରତିଶତ ହେଉଥିବା ବେଳେ ଓବିସି ଜନସଂଖ୍ୟା ୩୮ ପ୍ରତିଶତ ରହିଛି । ଆଦିବାସୀ ୯ ପ୍ରତିଶତ ଓ ମରାଠା ସମୁଦାୟର ଜନସଂଖ୍ୟା ୨୮ ପ୍ରତିଶତ ରହିଛି । ରାହୁଲ ସମ୍ବିଧାନ ବଞ୍ଚାଇବା ଓ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବା ପ୍ରତିଶ୍ରୁତି ଦେଇ ଏହି ବର୍ଗର ଭୋଟରଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରିଥିଲେ । ନିର୍ବାଚନୀ ସଭାରେ ବାରମ୍ବାର ସମ୍ବିଧାନ ସମାନତା, ଏକ ବ୍ୟକ୍ତି ଏକ ଭୋଟ୍, ସବୁ ଧର୍ମ, ସବୁ ଜାତି, ରାଜ୍ୟ ତଥା ସମ୍ମାନର କଥା କହିଥିଲେ । ଏପରିକି ବିଜେପି ଓ ସଂଘ ପରିବାର ଉପରେ ମଧ୍ୟ ରାହୁଲ ହମଲା କରୁଥିଲେ । ବିଜେପି ସମ୍ବିଧାନକୁ ସମାପ୍ତ କରି ଦେବ ବୋଲି ରାହୁଲ କହି ଆସୁଥିଲେ । ତେବେ ସବୁ ବାଜି ଫେଲ୍ ମାରିଛି । ଲୋକସଭା ନିର୍ବାଚନରେ ରାହୁଲ ଏହି ସବୁ ନାରା ଦେଇ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ ।
ନିର୍ବାଚନ ଆୟୋଗର ସଦ୍ୟତମ ତଥ୍ୟ ଅନୁଯାୟୀ, ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୦.୫୮ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ସହଯୋଗୀ ଶରଦ ପାୱାରଙ୍କ ଏନସିପିକୁ ୧୧.୫୮ ପ୍ରତିଶତ ଓ ଉଦ୍ଧବ ଠାକରେଙ୍କ ଶିବସେନାକୁ ୧୦.୬୭ ପ୍ରତିଶତ ଅର୍ଥାତ ଏମଭିଏ ମେଣ୍ଟକୁ ମୋଟ୍ ୩୨.୮୩ ପ୍ରତିଶତ ଭୋଟ୍ ମିଳିଛି । ଅନ୍ୟପଟେ ବିଜେପିକୁ ୨୫.୦୮ ପ୍ରତିଶତ, ଅଜିତ ପାୱାରଙ୍କ ଏନସିପିକୁ ୧୦.୯୫ ପ୍ରତିଶତ ଓ ଏକନାଥ ସିନ୍ଦେଙ୍କ ଶିବସେନାକୁ ୧୨.୭୦ ପ୍ରତିଶତ ଅର୍ଥାତ ମହାୟୁତି ମେଣ୍ଟକୁ ମୋଟ୍ ୪୮.୭୩ ପ୍ରତିଶତ ଭୋଟ୍ ମିଳିଛି ।