ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟଅଦ୍ଭୁତପୂର୍ବ ବିଜୟ ଆଡକୁ ଅଗ୍ରସର ହେଉଛି । ଏହି ଫଳାଫଳକୁ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ପ୍ରଶ୍ନର ଜବାବ ଦେଇଛନ୍ତି ଯେ, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ସିନ୍ଦେଙ୍କୁ ପ୍ରଶ୍ନ ହୋଇଥିଲା ଯେ, ନିର୍ବାଚନ ପୂର୍ବରୁ ସବୁଠୁ ଅଧିକ ବିଧାୟକ ଥିବା ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହାର ଉତ୍ତରରେ ଏକନାଥ ସିନ୍ଦେ କହିଛନ୍ତି, ନିର୍ବାଚନ ପୂର୍ବରୁ ଏମିତି କୌଣସି ଫର୍ମୁଲା ନ ଥିଲା । ମୁଖ୍ୟମନ୍ତ୍ରୀ ପଦକୁ ନେଇ ମେଣ୍ଟର ସମସ୍ତ ଦଳର ବୈଠକ ହେବ । ସେହି ବୈଠକରେ ଯେଉଁ ନିଷ୍ପତ୍ତି ନିଆଯିବ, ସେହି ହିସାବରେ ମୁଖ୍ୟମନ୍ତ୍ରୀ ସ୍ଥିର କରାଯିବ ।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଆଜି ମହାରାଷ୍ଟ୍ରର ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । କାରଣ ଜନତା ଆମକ ଐତିହାସିକ ବିଜୟ ଦେଇଛନ୍ତି । ଏଥିସହ ସିନ୍ଦେ ମହାୟୁତିର ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ମହାୟୁତି ଯେଉଁ କାମ କରିଛି ତା ଉପରେ ହିଁ ଜନତା ଭୋଟ୍ ଦେଇଛନ୍ତି । ବିଜେପି ନେତା ବିନୋଦ ତାବଡେ ମଧ୍ୟ କହିଛନ୍ତି ଯେ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦଳ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ନିଆଯିବ ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ୨୮୮ ସିଟରୁ ୨୨୧ ସିଟରେ ଆଗୁଆ ରହିଛି । ଏଥିରୁ ବିଜେପି ୧୨୬, ଶିବସେନା ୫୪ ଓ ଏନସିପି ୩୮ ସିଟରେ ଅଗ୍ରଣୀ ରହିଛି । ଅନ୍ୟପଟେ ଏମଭିଏକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡିଛି । ଏମଭିଏ ମାତ୍ର ୫୪ ସିଟରେ ସୀମିତ ରହୁଥିବା ଦେଖିବାକୁ ମିଳିଛି ।