କବିସୂର୍ଯ୍ୟନଗର: ହାତରୁ କ୍ଷମତା ଚାଲିଯିବା ପରେ ବି ବିଜୁ ଜନତା ଦଳର କ୍ଷମତା ନିଶା ଏ ଯାଏ ଛାଡିନି । ନିର୍ବାଚନ ହାରିବାର ୫ ମାସ ବିତି ଯାଇଥିଲେ ସୁଦ୍ଧା ବିଜେଡିର ଜଣେ ପରେ ଜଣେ ନେତା ନିଜ କର୍ମୀଙ୍କୁ କ୍ଷମତାର ରଙ୍ଗୀନ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଏହି କ୍ରମରେ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟକ ଲତିକା ପ୍ରଧାନ ବିଜେଡି ଅଳ୍ପ ଦିନରେ କ୍ଷମତାକୁ ଫେରିବ ଏବଂ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ।
ଗତକାଲି କବିସୂର୍ଯ୍ୟନଗରର କାଳିମେଘୀ ଗାଁ ନିକଟରେ ଏକ ସଭାରେ ଲତିକା କହିଛନ୍ତି, ନବୀନ ପଟ୍ଟନାୟକ ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଲତିକା। ଆଗାମୀ ଦିନରେ ପୁଣି ଲଢେଇ ହେବ ଏବଂ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ବେଶି ଦୂର ନୁହେଁ ।
ସେ କହିଛନ୍ତି, ଆଉ ଅଳ୍ପ ଦିନରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଆପଣମାନଙ୍କୁ ଯେଉଁ ସୁବିଧା ମିଳୁଥିଲା, ପୁଣି ଥରେ ସବୁ ଫେରି ଆସିବ । ଓଡିଶାବାସୀ ପୁଣି ହସିବେ । ସେହି ଭରସା,ବିଶ୍ୱାସ ଓ ସହଯୋଗ ଆପଣ ମାନଙ୍କର ରହିବା ଦରକାର।
ସୂଚନାଯୋଗ୍ୟ, ଲତିକାଙ୍କ ପୂର୍ବରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ମୁନା ଖାନ୍ନ ଓ ଅତନୁ ସବ୍ୟସାଚ୍ଚୀ ନାୟକ ନିଜ କର୍ମୀ ମାନଙ୍କୁ ଏମିତି ରଙ୍ଗୀନ ସ୍ୱପ୍ନ ଦେଖାଇ ସାରିଛନ୍ତି । ନିକଟରେ ମହାକାଳପଡାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚ୍ଚୀ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ କର୍ମୀଙ୍କୁ ଗଣିତ ବୁଝାଇଥିଲେ । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ସେ କହିଥିଲେ, ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ୱାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି।
ତାଙ୍କ ପୂର୍ବରୁ ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାନ କହିଥିଲେ ଯେ, ବହୁତ ଶୀଘ୍ର ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ । ନବରଙ୍ଗପୁରରେ ଆୟୋଜିତ ଜନସଂପର୍କ ପଦଯାତ୍ରାରେ ମୁନ୍ନା ଖାନ ଦାବି କରିଥିଲେ ଯେ, ୧୪ ବିଜେପି ବିଧାୟକ ବିଜେଡି ସଂପର୍କରେ ଅଛନ୍ତି । ଆଉ ସେମାନେ ହିଁ ବିଜେଡିକୁ ସରକାର ଗଢିବାରେ ସାହାଯ୍ୟ କରିବେ ।