ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଯାଜପୁର ଏସଡିଜେଏମ କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରିବା ପରେ ଜେଲ ଯାଇଛନ୍ତି ସମସ୍ତ ଅଭିଯୁକ୍ତ ।
ଗତକାଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଧାୟକଙ୍କ ପିଏସଓଙ୍କ ଏତଲାକୁ ଆଧାର କରି ପୁଲିସ ଅଭିଯୁକ୍ତମାନଙ୍କୁ ଧରିଛି । ପୁଲିସ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତମାନଙ୍କର ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ମାନ୍ୟବର ଏସଡିଜେଏମ କୋର୍ଟ ଅଭିଯୁକ୍ତମାନଙ୍କର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଫଳରେ ସମସ୍ତ ଅଭିଯୁକ୍ତ ଜେଲ ଯାଇଛନ୍ତି ।
ଗତକାଲି ସନ୍ଧ୍ୟାରେ ବିଧାୟକ ହିମାଂଶୁ ଶେଖର ସାହୁ କୌଣସି ଏକ କାମରେ ଡିଡିଏମ ଅଫିସ ଯାଉଥିବା ବେଳେ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ବିଧାୟକଙ୍କୁ ମାଡ଼ ମାରିଥିଲେ । ଏମିତିକି ତାଙ୍କ ସୁନା ଚେନ୍ ମଧ୍ୟ ଛଡ଼ାଇ ନେଇଯାଇଥିଲେ । ଆକ୍ରମଣକାରୀ ବବି ଦାସଙ୍କ ନାଁ ନେଇ ତାଙ୍କ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଥିଲେ । ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଘଟଣା ସ୍ଥଳରେ ପହଁଚି ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଥିଲା ।