ଯାଜପୁର: ଆକ୍ରମଣ ଘଟଣାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଧାୟକ । ଏହା ସହିତ ମାମଲାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବିଧାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି କହିଲେ ଆକ୍ରମଣ ଘଟଣାରେ ପୁଲିସ ପ୍ରଶାସନ ସଜାଗ ରହିଛି । ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏ ଘଟଣାକୁ ଗୁରୁତର ସହିତ ନେଇଥିବା ସେ କହିଛନ୍ତି । ଖୁବଶୀଘ୍ର ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମ୍ପୃକ୍ତ ସମସ୍ତ ଆସାମୀଙ୍କୁ ଗିରଫ କରାଯିବ ବୋଲି ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ବିଧାୟକ ।
ସେହିପରି ଅତିରିକ୍ତ ଡିଜି ଓ ଯାଜପୁର ଏସପିଙ୍କ ସମେତ ଅନ୍ୟାନ୍ୟ ପୁଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଯାଜପୁରରେ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଆକ୍ରମଣ ଘଟଣା ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ କେହି ଆଇନକୁ ହାତକୁ ନ ନେଇ ଶାନ୍ତି ବଜାୟ ବିଧାୟକ ହିମାଂଶୁ ସାହୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ କୋରଇ ବିଧାୟକ ଆକାଶ ଦାସ ନାୟକ ମଧ୍ୟ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଜଣେ ଜନ ପ୍ରତିନିଧିଙ୍କୁ ଏପରି ଆକ୍ରମଣ କରାଯିବା ନିନ୍ଦନୀୟ ଏବଂ ଏଭଳି ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଆକାଶ ଦାସ ନାୟକ ।
ଗତକାଲି ସନ୍ଧ୍ୟାରେ ଯାଜପୁର ବୁଢ଼ାନଦୀ ପୋଲ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । କିଛି ଲୋକ ତାଙ୍କ କାରକୁ ଭାଙ୍ଗିବା ସହିତ ତାଙ୍କ ବେକରୁ ସୁନା ଚେନ୍ ଛିଡ଼ାଇ ନେଇଯାଇଥିଲେ । ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକ ଆକ୍ରମଣ କରିଥିଲେ ବୋଲି ସେ ସିଧାସଳଖ ଅଭିଯୋଗ କରିଥିଲେ ।