ଯାଜପୁର: ଯାଜପୁର ଜିଲ୍ଲା ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ସମାଜ ଶାସ୍ତ୍ର ବିଭାଗର ମୁଖ୍ୟ କଲେଜକୁ ଆସୁ ନ ଥିବାବେଳେ ସବୁବେଳେ ମଦ୍ୟପାନ କରୁଛନ୍ତି । ଯେଉଁଥିପାଇଁ ଆଜି ଛାତ୍ରଛାତ୍ରୀମାନେ ୩ କିମି ପାଦରେ ଚାଲିଚାଲି ଯାଇ ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଛନ୍ତି ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ, ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗର ଏଚଓଡି ଭାବେ କାର୍ଯ୍ୟ କରୁଥିବା ଶ୍ରୀରାମ ମହାର ଚାକିରି କରିବା ଦିନଠାରୁ କଲେଜ ମାଟି ମାଡ଼ୁ ନାହାଁନ୍ତି । ଆଉ ଯେତେବେଳେ ଆସୁଛନ୍ତି ନିଶାରେ ଚୁର । ପିଲାମାନେ ତାଙ୍କ ଘରେ କାମ କଲେ ପରୀକ୍ଷାରେ ମାର୍କ ଦେଉଛନ୍ତି । ଆଉ ଯେଉଁମାନେ ଅରାଜି ହେଉଚନ୍ତି ସେମାନଙ୍କ ମାର୍କ କାଟି ଦିଆଯାଉଛି । ପରୀକ୍ଷା ଖାତା ହଜାଇ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।
ଏ ନେଇ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ୩କିମି ବାଟ ପାଦରେ ଚାଲିଚାଲି ଆସି ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରିବା ସହିତ ଘଟଣାରେ ଏଡିଏମଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।