ଭୁୁବନେଶ୍ୱର: ଆସନ୍ତାକାଲି ଭଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ। ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଏଥିସହ ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଜାରି କରିଛନ୍ତି। କୋର୍ଟଙ୍କ ଆଦଶ ଅନୁଯାୟୀ, ଡିସେମ୍ବର ୧୨ ଯାଏ ଆଶ୍ରମକୁ ବିଏମସି କିମ୍ବା ବିଡିଏ ଭାଙ୍ଗି ପାରିବନି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତାକାଲି ଆଶ୍ରମ ଭାଙ୍ଗିବାକୁ ଗୁରୁବାର ଘୋଷଣା କରିଥିଲା ବିଡିଏ। ତେବେ ବିଡିଏର ଭଙ୍ଗା ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ।
ସରକାରୀ ଜାଗାରେ ବେଆଇନ ନିର୍ମାଣ ଅଭିଯୋଗ ପରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ଘୋଷଣା କରିଥିଲା ବିଡିଏ। ଆଶ୍ରମ ଶୁକ୍ରବାର ଉଚ୍ଛେଦ ହୋଇଥାନ୍ତା। ଏପରିକି ଆଶ୍ରମ ଆଗରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ମାଇକ୍ ଯୋଗେ ଘୋଷଣା ମଧ୍ୟ କରିଥିଲା। ଆଶ୍ରମ ଭିତରେ ଥିବା ସାମଗ୍ରୀ ମଧ୍ୟ କାଢି ନେବାକୁ ଘୋଷଣା କରିଥିଲା ଏନଫୋର୍ସମେଣ୍ଟ ଟିମ୍ । ହେଲେ ବିଡିଏର ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ। ଆଉ ଏହା ଉପରେ ତତ୍କାଳ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ବିଡିଏର ଭଙ୍ଗା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ସରକାରୀ ଜାଗାରେ ଏହି ଆଶ୍ରମ ନିର୍ମାଣ କରିଥିଲେ ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର। ଏଠାକୁ ପ୍ରତିଦିନ ଭକ୍ତଙ୍କ ଆଗମନ ହେଉଥିଲା । ପ୍ରବଚନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲା । ତେବେ କାଶୀନାଥ ନିଜ ପୁଅକୁ କଳକୀ ଅବତାର ସଜାଇ ପୂଜା କରାଉଥିଲେ। ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଆଉ ଏହା ପରେ ହିଁ ବିବାଦ ମୁଣ୍ଡ ଟେକିଥିଲା । ଭିଡିଓରେ ପୁଅ ପାଦ ତଳେ ତୁଳସୀ ରଖାଯାଇଥିବାରୁ ମଧ୍ୟ ଦେଖିବାକୁ ମିଳିନଥିଲା। ଯାହା ସାମନାକୁ ଆସିବା ପରେ ଚହଳ ପକାଇଥିଲା।
ବିବାଦ ବଢୁଥିବା ଦେଖି ବାବା ଏବଂ ତାଙ୍କ ପୁଅ ଚମ୍ପଟ ମାରିଛନ୍ତି। ଆଶ୍ରମରୁ ଦାମୀ ବାଇକ୍ ଏବଂ ଚାରିଚକିଆ ମିଳିଥିଲା। ବାବା ଫେରାର ହେବା ପରେ ଆଶ୍ରମ ତିଆରି ହୋଇଥିବା ଜମିକୁ ନେଇ ବିବାଦ ଦେଖା ଦେଇଥିଲା। ଆଶ୍ରମଟି ସରକାରୀ ଜମିରେ ତିଆରି ହୋଇଥିବା ଅଭିଯୋଗ ହୋଇଥିଲା। ଯାହାପରେ ଜି.ଏ. ଏବଂ ବିଡ଼ିଏ ଅଧିକାରୀଙ୍କ ଉପସ୍ଥିତିରେ ଆଶ୍ରମର ମାପଚୁପ ପରେ ଏହା ସରକାରୀ ଜମିରେ ତିଆରି ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ପରେ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ଘୋଷଣା କରିଥିଲା ।