ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି । ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ଗାଡି ଉପରେ ଆକ୍ରମଣ କରିବାରୁ ୩୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରାଜ୍ୟର ମୁଖ୍ୟ ସଚିବ ନଦୀମ ଅସଲମ ଚୌଧୁରୀ କହିଛନ୍ତି ବନ୍ଧୁକଧାରୀମାନେ ଗୁରୁବାର ପଖତୁନଖ୍ୱାର ଡାଉନ କୁର୍ରମ ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ୩୮ରୁ ବୃଦ୍ଧି ଘଟି ୫୦ରେ ପହଞ୍ଚିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି । । ଏଥିରେ ଜଣେ ପୋଲିସ ଅଧିକାରୀ ଏବଂ ମହିଳାଙ୍କ ସମେତ ଦୁଇ ଡଜନରୁ ଅଧିକ ଆହତ ହୋଇଛନ୍ତି।
ନ୍ୟୁଜ ଏଜେନ୍ସି ରୟଟର୍ସ ମୁତାବକ କେପିକେର କୁରମ ଆଦିବାସୀ ଅଞ୍ଚଳରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୬ ମହିଳା, ତିନି ଛୋଟ ପିଲା ସମେତ ୫୦ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୨୦ ଜଣ ଆହତ ହୋଇଛନ୍ତି । ଘଟଣା ସମୟରେ ଗାଡିଟି ଯାତ୍ରୀରେ ଭର୍ତ୍ତି ଥିଲା । ଏବେ ମଧ୍ୟ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ପାସେଞ୍ଜର ଗାଡ଼ି ଲୋୟର କର୍ରମର ଓଚୁଟ କାଲି ଏବଂ ମନ୍ଦୁରୀ ଦେଇ ପେସାୱର ଯାତ୍ରା କରୁଥିଲା । ସେଠାରେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀ ଯାତ୍ରୀବାହୀ ଗାଡ଼ି ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ । । ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।