ପର୍ଥ: ପର୍ଥ ଟେଷ୍ଟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଡ୍ରାଇଭିଂ ସିଟ୍ରେ ଭାରତୀୟ ଦଳ। ତୃତୀୟ ଦିନରେ ଯଶସ୍ଵୀ ଜୟସ୍ଵାଲ ଓ ବିରାଟ କୋହଲିଙ୍କ ଦମଦାର ଶତକ ପରେ ବୋଲରଙ୍କ ଘାତକ ବୋଲିଂ ବଳରେ ଭାରତ ପ୍ରଥମ ଟେଷ୍ଟ ଜିତିବାର ମାର୍ଗ ପ୍ରଶସ୍ତ କରିଛି। ଭାରତ ଦ୍ଵିତୀୟ ଇନିଂସ ୪୮୭/୬ରେ ପାଳି ସମାପ୍ତି ଘୋଷଣା ପରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଅଷ୍ଟ୍ରେଲିଆକୁ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଛି। ଜବାବରେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୨ ରନ କରିଛି। ଉସ୍ମାନ ଖ୍ଵାଜା ୩ ରନ କରି କ୍ରିଜରେ ଅଛନ୍ତି।
ମ୍ୟାଚ୍ର ତୃତୀୟ ଦିନରେ ଭାରତୀୟ ବୋଲର ଶେଷ ୨୦ ମିନିଟ୍ରେ କଙ୍ଗାରୁ ଦଳକୁ ମ୍ୟାଚ୍ରେ ବହୁତ ପଛକୁ ଠେଲି ଦେଇଛନ୍ତି। ଭାରତ ମାତ୍ର ୨୬ ବଲ୍ ଫିଙ୍ଗି ଘରୋଇ ଦଳର ୩ ବ୍ୟାଟରଙ୍କୁ ପାଭିଲିୟନ ପଠାଇଛନ୍ତି। ୫୩୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୨ ରନରେ ହିଁ ୩ ଓ୍ଵିକେଟ୍ ହରାଇ ସାରିଛି। ଖାତା ଖୋଲିବା ପୂର୍ବରୁ ହିଁ ଘରୋଇ ଦଳ ଓ୍ଵିକେଟ୍ ହରାଇଥିଲା। ନାଥନ ମ୍ୟାକସ୍ଵିନି ଖାତା ଖୋଲି ପାରି ନ ଥିଲେ। ନାଇଟ୍ ଓ୍ଵାଚମ୍ୟାନ ପାଟ୍ କମିନ୍ସ(୨) ମହମ୍ମଦ ସିରାଜଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ମାର୍ନସ ଲାବୁସେନ(୩) ବୁମରାଙ୍କ ଶିକାର ହୋଇଥିଲେ। ଲାବୁସେନଙ୍କ ଆଉଟ୍ ହେବା ସହ ତୃତୀୟ ଦିନର ଖେଳ ସମାପ୍ତ ହୋଇଛି। ଉସ୍ମାନ ଖ୍ଵାଜା ୩ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଆସନ୍ତାକାଲି ଚତୁର୍ଥ ଦିନର ପ୍ରଥମ ସେସନର ଖେଳ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି।
ଏହା ପୂର୍ବରୁ ଭାରତ ୧୭୨/୦ ସ୍କୋରରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। କ୍ରିଜରେ ଅପରାଜିତ ଥିବା କେଏଲ ରାହୁଲ ୭୭ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ପୂର୍ବରୁ ଜୟସ୍ଵାଲ ଓ ରାହୁଲ ଓପନିଂରେ ୨୦୧ ରନର ରେକର୍ଡ ଭାଗିଦାରୀ ଯୋଡ଼ିଥିଲେ। ଅନ୍ୟପଟେ ଜୟସ୍ଵାଲ ନିଜର ଶତକ ପୂରଣ କରିଥିଲେ। ଦେବଦତ୍ତ ପାଡିକଲ ଓ ଜୟସ୍ଵାଲ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୪ ରନ ଯୋଡ଼ିଥିଲେ। ପାଡିକଲ ୨୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭାରତ ଶୀଘର ୩ ଓ୍ଵିକେଟ୍ ହରାଇଥିଲା। ଦମଦାର ବ୍ୟାଟିଂ କରୁଥିବା ଯଶସ୍ଵୀ ଜୟସ୍ଵାଲଙ୍କୁ ମିଚେଲ୍ ମାର୍ଶ ଆଉଟ୍ କରିଥିଲେ। ଜୟସ୍ଵାଲ ୨୯୭ ବଲ୍ରୁ ୧୫ ଚୌକା ଓ ୩ ଛକା ସହ ୧୬୧ ରନ ଆଉଟ୍ ହୋଇଥିଲେ। ଏହା ପରେ ଋଷଭ ପନ୍ତ(୧) ଓ ଧ୍ରୁବ ଜୁରେଲ(୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ।
ଏହା ପରେ ତାରକା ଖେଳାଳି ବିରାଟ କୋହଲି ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୀର୍ଘ ଦିନ ପରେ ଫର୍ମରେ ନଜର ଆସିଥିଲେ କୋହଲି। ଅନ୍ୟପଟେ ଓ୍ଵାଂଶିଟନ ସୁନ୍ଦର ୨୯ ରନ କରି ଆଉଟ୍ ହୋଇଥିଲେ।ନୀତିଶ ରେଡ୍ଡୀ କ୍ରିଜକୁ ଆସି ଦ୍ରୁତ ବ୍ୟାଟିଂ କରିଥିଲେ। ସେ ୨୭ ବଲ୍ରୁ ୩ ଚୌକା ଓ ୨ ଛକା ସହ ୪୮ ରନରେ ଅପରାଜିତ ଥିଲେ। ଅନ୍ୟପଟେ ବିରାଟ କୋହଲି ଶତକ ପୂରଣ କରିବା ମାତ୍ରେ ଭାରତ ୪୮୭/୬ରେ ଇନିଂସ ସମାପ୍ତି ଘୋଷଣା କରିଥିଲା।କୋହଲି ୧୪୩ ବଲରୁ ୮ ଚୌକା ଓ ୨ ଛକା ସହ ଶତକ ପୂରଣ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୩୦ତମ ଶତକ ଥିଲା। ଏଥିସହ ଭାରତ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ କଙ୍ଗାରୁକୁ ୫୩୪ ରନର ଟାର୍ଗେଟ୍ ଦେଇଛି।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୧୫୦ ରନରେ ଆଉଟ୍ ହୋଇଥିଲା। ଜବାବରେ ଘରୋଇ ଦଳ ବୁମରାଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୦୪ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ଭାରତକୁ ୪୬ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ ହୋଇଥିଲା।