ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୩ ମାସ ଧରି ଭୀଷଣ ଲଢେଇ ଜାରି ରହିଛି । ଏହି କାରଣରୁ ଗାଜାରୁ ଲକ୍ଷାଧିକ ଲୋକଙ୍କୁ ପଳାୟନ କରିବାକୁ ପଡିଛି । ପ୍ରାୟ ୪୫ ହଜାରଙ୍କ ପ୍ରାଣହାନୀ ଘଟିଛି । ସମଗ୍ର ଦୁନିଆରେ ଅନେକ ଦେଶ ଓ ମିଳିତ ଜାତିସଂଘ ଯୁଦ୍ଧ ବନ୍ଦ କରିବାକୁ ଅପିଲ୍ କରିଛନ୍ତି । ମାତ୍ର ଇସ୍ରାଏଲ ହମାସର ସମୂଳେ ନାଶ ନ କରିବା ପର୍ଯ୍ୟନ୍ତ ଲଢେଇ ଚାଲିବ ବୋଲି କହିଛି । ଏହା ମଧ୍ୟରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଏହି ସମ୍ବନ୍ଧରେ ପ୍ରସ୍ତାବ ଆଣିବା ଉପରେ ପ୍ରସ୍ତୁତି କରୁଛି । ଏହି ପ୍ରସ୍ତାବକକୁ ସୁରକ୍ଷା ପରିଷଦର ନିର୍ବାଚିତ ୧୦ ସଦସ୍ୟ ଦେଶ ଆଗକୁ ବଢାଇଛନ୍ତି । ଆଉ ଏହାକୁ ରୁଷ ଓ ଚୀନ ପରି ଦେଶ ସମର୍ଥନ କରି ପାରନ୍ତି । ଅନ୍ୟପଟେ ଆଶଙ୍କା ରହିଛି ଯେ, ଆମେରିକା ନିଜର ଭିଟୋ କ୍ଷମତାର ପ୍ରୟୋଗ କରି ଏହି ପ୍ରସ୍ତାବକୁ ରୋକିପାରେ ।
ଏହା ଉପରେ ଆଜି ଭୋଟିଂ ହେବାର ଅଛି ଏବଂ ପ୍ରସ୍ତାବକୁ ଆମେରିକା ପକ୍ଷରୁ ରୋକା ଯିବାର ଆଶଙ୍କା ରହିଛି । ଯୁଦ୍ଧ ବନ୍ଦ ପାଇଁ ଏହି ପ୍ରସ୍ତାବ ଆଲଜେରିଆ, ଇକ୍ୱ୍ୟଡର, ଗୁଏନା, ଜାପାନ, ମାଲଟା, ମୋଜାମ୍ବିକ, ଦକ୍ଷିଣ ଆଫ୍ରିକା, ସିଏରା ଲିୟୋନ, ସ୍ଲୋଭାନିଆ ଓ ସ୍ୱିଜରଲାଣ୍ଡ ପରି ଦେଶ ଆଗକୁ ବଢାଇଛନ୍ତି । ଏହି ଦେଶ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ତତ୍କାଳ ପ୍ରଭାବରୁ ବନ୍ଦ କରିବା ଓ ଅସ୍ତ୍ରବିରତି ଘୋଷଣା କରିବାକୁ ସୁରକ୍ଷା ପରିଷଦରେ ଦାବି କରିଛନ୍ତି । ସୁରକ୍ଷା ପରିଷଦର ସୂତ୍ର ଅନୁଯାୟୀ, ଆମେରିକା ଏହି ପ୍ରସ୍ତାବ ବିରୋଧରେ ଯାଇପାରେ । କୁହାଯାଉଛି ଆମେରିକା ଶାନ୍ତି ପ୍ରସ୍ତାବର ସମର୍ଥକ, ମାତ୍ର ଇସ୍ରାଏଲ ଉପରେ ଜୌଣସି ପ୍ରକାରର ଚାପ ସହିତ ଲାଗୁ କରିବାକୁ ଚାହେଁନି ।
ଏହା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ହମାସ ନିକଟରେ ବନ୍ଧକ ଇସ୍ରାଏଲ ନାଗରିକଙ୍କୁ ଛାଡିବା ପାଇଁ ପୁରସ୍କାର ଘୋଷଣା କରିଛି । ଇସ୍ରାଏଲ କହିଛି, ଯଦି କେହି ବନ୍ଧକ କରାଯାଇଥିବା ଲୋକଙ୍କୁ ଉଦ୍ଧାର କରି ପାରିବେ ତେବେ ସେମାନଙ୍କୁ ମୁଣ୍ଡ ପିଛା ୫ ମିଲିୟନ ଡଲାର ପର୍ଯ୍ୟନ୍ତ ନଗଦ ଅର୍ଥ ରାଶି ଦେବାକୁ ପ୍ରସ୍ତୁତ । ଏପରିକି ସେମାନଙ୍କ ପରିବାରକୁ ମଧ୍ୟ ସବୁ ପ୍ରକାରର ସହାୟତା ଦିଆଯିବ ।