ନୂଆଦିଲ୍ଲୀ: ଦୀପାବଳି ସମାରୋହ ପାର୍ଟିରେ ଆମିଷ ଖାଦ୍ୟ ଓ ମଦ ପରସା କରି ସମାଲୋଚନାର ଶିକାର ବ୍ରିଟିଶ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କ୍ଷମା ମାଗିଛି । କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଆମେ ହିନ୍ଦୁ ସମୁଦାୟଙ୍କ ଚିନ୍ତାକୁ ବୁଝି ପାରିଛୁ ଏବଂ ଆଶ୍ୱାସନ ଦେଉଛୁ ଯେ ଭବିଷ୍ୟତରେ ହେବାକୁ ଥିବା କୌଣସି ବି ସମାରୋହରେ ଏମିତି ହେବ ନାହିଁ । ୧୦ ଡାଉନିଂ ଷ୍ଟ୍ରିଟର ମୁଖପାତ୍ର କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ଭାରତୀୟଙ୍କ ଭାବନାକୁ ବୁଝି ପାରୁଛୁ ଓ ସମୁଦାୟକୁ ଆଶ୍ୱାସନ ଦେଉଛୁ ଯେ, ଭବିଷ୍ୟତରେ ଏମିତି କାମ ପୁନର୍ବାର ହେବ ନାହିଁ ।
ବ୍ରିଟିଶ ଭାରତୀୟ କଞ୍ଜରଭେଟିଭ ସାଂସଦ ଶିବାନୀ ରାଜା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖା ଯିବା ପରେ ୧୦ ଡାଉନିଂ ଷ୍ଟ୍ରିଟ ପକ୍ଷରୁ ଏହି ବୟାନ ସାମ୍ନାକୁ ଆସିଛି । ଶିବାନୀ ଏହି ପତ୍ରରେ ପିଏମଙ୍କ ସାମ୍ନାରେ ଆନୁଷ୍ଠାନିକ ଭାବେ ସମାରୋହରେ ଆମିଷ ଓ ମଦ ପରସା ଯିବା ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ । ସେ ଲେଖିଛନ୍ତି, ପିଏମ ହାଉସରେ ଆୟୋଜିତ କାର୍ଯ୍ୟକ୍ରମ ହିନ୍ଦୁଙ୍କ ଦ୍ୱାରା ପାଳନ କରାଯାଉଥିବା ଉତ୍ସବର ରୀତିନୀତିର ଅନୁରୂପ ନୁହେଁ । ହିନ୍ଦୁ ପରମ୍ପରା ବିଷୟରେ ଜ୍ଞାନର ଅଭାବ କାରଣରୁ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସେ କହିଥିଲେ ।
ସେ ଏହା ମଧ୍ୟ କହିଛନ୍ତି, ନିଜ ନିର୍ବାଚନ ମଣ୍ଡଳୀରେ ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଛି । କିନ୍ତୁ ଏହା ଜାଣି ମର୍ମାହତ ଯେ, ଦେଶର ସବୁଠୁ ବଡ କାର୍ଯ୍ୟାଳୟରେ ଉତ୍ସବ ସମୟରେ ରୀତିନୀତିକୁ ଦଳିଚକଟି ଦିଆଯାଉଛି । ଏହା ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କୁ ନିଜର ବାସଭବନରେ ଦୀପାବଳି ପାର୍ଟି ଦିନ ଦୀପ ଓ ମହମବତୀ ଜାଳୁଥିବା ଦେଖିବାକୁ ମିିଳିଥିଲା ।