ନୂଆଦିଲ୍ଲୀ: ତିନି ଦେଶର ବିଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ନାଇଜେରିଆ ପହଞ୍ଚିଛନ୍ତି । ଏହା ପରେ ସେ ବ୍ରାଜିଲ ଓ ଗୁଏନା ଯାତ୍ରା କରିବେ । ନାଇଜେରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ ଦ ଅର୍ଡର ଅଫ ନାଇଜେରିଆ’ ଆୱାର୍ଡରେ ସମ୍ମାନିତ କରାଯାଇଛି । ମୋଦୀଙ୍କ ପୂର୍ବରୁ କେବଳ କ୍ୱିନ ଏଲିଜାବେଥଙ୍କୁ ୧୯୬୯ରେ ଏହି ସମ୍ମାନ ମିଳିଥିଲା ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦେଶରୁ ଏହି ଧରଣର ୧୭ତମ ସମ୍ମାନ ମିଳିଛି । ଏହା ପୂର୍ବରୁ ୧୬ ଦେଶ ନିଜ ନିଜର ସର୍ବଶ୍ରେଷ୍ଠ ସମ୍ମାନରେ ମୋଦୀଙ୍କୁ ସମ୍ମାନିତ କରି ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆ ପହଞ୍ଚିବା ପରେ ସେଠାକାର ସମବେତ ସମୁଦାୟକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣକ୍ରମେ ସେ ଏଠାକୁ ଆସିଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବୁଜା ପହଞ୍ଚି ଯାଇଛନ୍ତି । ମନ୍ତ୍ରୀ ନ୍ୟସୋମ ଏଜେନଭୋ ୱାଇକ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାରରେ ଅବୁଜା ସହରର ପ୍ରତୀକ କୁଞ୍ଜି ପ୍ରଦାନ କରିଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ କିଛି ଫଟୋ ସେୟାର କରିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଭାରତ ଓ ନାଇଜେରିଆ ମଧ୍ୟରେ ରଣନୈତିକ ଭାଗିଦାରୀ ସହ ଦ୍ୱିପାକ୍ଷିକ ଆଲୋଚନା ହେବ । ଏଥିସହ ଉର୍ଜା, ବାଣିଜ୍ୟ ଓ ପରସ୍ପର ସହଭାଗିତା ଉପରେ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହେବ ।