ରାୟପୁର: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଛି । ବସ୍ତର ଡିଭିଜନର କାଙ୍କେର-ନାରାୟଣପୁର ସୀମାରେ ଗଳି ବିନିମୟ ବେଳେ ଟଳିଛନ୍ତି ୫ ମାଓବାଦୀ । ଏହା ସହିତ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଏୟାର ଲିଫ୍ଚ ମାଧ୍ୟମରେ ରାୟପୁରର ଏକ ମେଡ଼ିକାଲକୁ ଅଣାଯାଇଛି । ଏ ନେଇ ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି ।
ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ମୁତାବକ, ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାରହା ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପ ନେଇ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡସ୍ (ଡିଆରଜି), ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଓ ସୀମା ସୁରକ୍ଷା ବଳ (ବିଏସଏଫ୍)କୁ ନେଇ ମିଳିତ ଅପରେସନ୍ କରାଯାଇଥିଲା । ଶନିବାର ସକାଳେ ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାରହା ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।
ପ୍ରାୟ ସକାଳ ୮ଟା ସମୟରେ ସୁରକ୍ଷାବାହିନୀ ଏବଂ ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଥିଲା । ଘଟଣା ସ୍ଥଳରେ ହିଁ ୫ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଯବାନ । ସେପଟେ ଏହି ଗୁଳି ବିନିମୟ ସମୟରେ ଦୁଇ ଜଣ ଡିଆରଜି ଯବାନଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କୁ ତୁରନ୍ତ ରାୟପୁରକୁ ଏୟାର ଲିଫ୍ଟ କରାଯାଇଛି । ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
ତେବେ ଘଟଣା ସ୍ଥଳରୁ ମାଓବାଦୀଙ୍କ ମୃତ ଦେହକୁ ଜବତ କରାଯାଇଛି । ଏହା ସହିତ ୫ଟି ସ୍ୱୟଂ ଚାଳିତ ବନ୍ଧୁକ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ତେବେ ସେମାନଙ୍କ ପରିଚୟ ମିଳି ପାରି ନାହିଁ ।